କମଳା ରଙ୍ଗର ହୋଇପାରେ ଭାରତୀୟ ଦଳର ନୂଆ ଜର୍ସି

ଲଣ୍ଡନ,୩।୬- କ୍ରିକେଟ ପ୍ରଶଂସକମାନେ ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବାର ଅପେକ୍ଷା କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ଚଳିତ ଥର କେବଳ ନୀଳ ରଙ୍ଗରେ ଦେଖିବାକୁ ମିଳିବ ନାହିଁ। ଆଇସିସିର ନୂଆ ନିୟମ ଅନୁଯାୟୀ ଆୟୋଜକ ଦଳ ବ୍ୟତୀତ ଭ୍ରମଣକାରୀ ଦଳଗୁଡ଼ିକୁ ବିଶ୍ୱକପ୍‌ ବେଳେ ଦୁଇଟି ଜର୍ସି ବ୍ୟବହାର କରିବା ବାଧ୍ୟତାମୂଳକ। ଏକା ରଙ୍ଗର ଜର୍ସି ପିନ୍ଧି ଦୁଇ ଦଳ ଖେଳିପାରିବେ ନାହିଁ। ସାଧାରଣତଃ ନୀଳ ଓ ବାଇଗଣୀ ରଙ୍ଗର ଜର୍ସିରେ ଖେଳୁଥିବା ଦଳଗୁଡ଼ିକ ବିକଳ୍ପ ଜର୍ସି ଉନ୍ମୋଚିତ କରିସାରିଛନ୍ତି। ହେଲେ ଭାରତୀୟ ଦଳ ଏହାକୁ ଏପର୍ଯ୍ୟନ୍ତ ଲୁକ୍କାୟିତ ରଖିଛି। ଏକ ଖବରଦାତା ସଂସ୍ଥାର ରିପୋର୍ଟ ଅନୁଯାୟୀ ଭାରତୀୟ ଦଳ କମଳା ରଙ୍ଗର ଜର୍ସି ପିନ୍ଧି ଖେଳୁଥିବାର ଚଳିତ ବିଶ୍ୱକପ୍‌ରେ ନଜର ଆସିବ। ଏହି ଜର୍ସିକୁ ନେଇ ଏବେଠାରୁ ବହୁ ପ୍ରକାର ଆଲୋଚନା ଆରମ୍ଭ ହୋଇଯାଇଛି। କମଳା ରଙ୍ଗର ଜର୍ସି ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ପରିଧାନ କରିବ। ୩୦ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଇଂଲଣ୍ଡ ନୀଳ ରଙ୍ଗର ଜର୍ସିରେ ଖେଳିବ। ନିୟମ ଅନୁଯାୟୀ, ଆଇସିସି ଇଭେଣ୍ଟରେ ଆୟୋଜକ ଦଳ ତା’ର ଜର୍ସି ବଜାୟ ରଖିପାରିବ। ଉଭୟ ଇଂଲଣ୍ଡ ଓ ଭାରତ ଜର୍ସିର ସମାନ ନୀଳ ରଙ୍ଗର ହୋଇଥିବାରୁ। ଭାରତୀୟ ଦଳର ଜର୍ସିରି ସାମାନ୍ୟ ପରିବର୍ତ୍ତନ କରିବାକୁ ପଡ଼ିବ।

Share