Categories: ଗଞ୍ଜାମ

କମାପଲ୍ଲୀ ପୋଖରୀ ପୁନରୁଦ୍ଧାର କରାଯାଉ

ବ୍ରହ୍ମପୁର ଅଫିସ,୬ା୬- ବ୍ରହ୍ମପୁର ମହାନଗର ନିଗମର ୩୧ନଂ. ୱାର୍ଡରେ ଥିବା ପୁରାତନ କମାପଲ୍ଲୀ ପୋଖରୀ ଦୀର୍ଘବର୍ଷରୁ ପଙ୍କରେ ପୋତି ହୋଇଯାଇଛି। ଏହାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ ଓ ସମ୍ପୃକ୍ତ ପୂର୍ବତନ ବିଜେଡି କର୍ପୋରେଟର କରିଥିବା ବହୁବାର ଦାବି ପ୍ରତି ନିଗମ କର୍ତ୍ତୃପକ୍ଷ ଆଖି ବୁଜି ଦେଇଥିବା ଅଭିଯୋଗ କରାଯାଇଛି। ତୁରନ୍ତ ପଙ୍କୋଦ୍ଧାର କରିବାକୁ ଦାବି ହୋଇଛି। ନଚେତ ପ୍ରତିବାଦରେ ଆନ୍ଦୋଳନ ସୂତ୍ରପାତ ସହ ବିଏମ୍‌ସି ଦପ୍ତର ଘେରାଉ କରାଯିବାର ଚେତାବନୀ ଦିଆଯାଇଛି। ପୂର୍ବତନ କର୍ପୋରେଟର ତଥା ବିଜେଡିର ଯୁବନେତା ସୁରେନ୍ଦ୍ର ମହାରଣାଙ୍କ ଅଭିଯୋଗ ଅନୁସାରେ ଶତାଧିକ ବର୍ଷର ଏହି ଜଳାଶୟରେ କମାପଲ୍ଲୀ ଅଞ୍ଚଳର ଶହ ଶହ ଅନୁସୂଚିତ ଜାତିର ଲୋକେ ନିର୍ଭର କରୁଛନ୍ତି। ଏହା ପୋତି ହୋଇଯାଇଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଅଞ୍ଚଳର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଦୈନନ୍ଦିନ ସ୍ନାନ କରିବା କଷ୍ଟକର ହୋଇଯାଇଛି। ପରିତ୍ୟକ୍ତ ଅବସ୍ଥାରେ ପୋଖରୀ ରହିଛି। ବିଏମ୍‌ସି ପକ୍ଷରୁ ବିଜିପୁର, ସୁନାରି ବନ୍ଧ ସମେତ ଅନ୍ୟ ଅଞ୍ଚଳର ପୋଖରୀଗୁଡ଼ିକ ପୁନରୁଦ୍ଧାର ଓ ଆଧୁନିକୀକରଣ ବାରମ୍ବାର କରାଯାଉଛି। ତେବେ କମାପଲ୍ଲୀ ପୋଖରୀ ଅବହେଳିତ ହୋଇ ରହିଥିବା ପୂର୍ବତନ କର୍ପୋରେଟର ସଂଗୀନ ଅଭିଯୋଗ କରିଛନ୍ତି। ବର୍ଷା ଋତୁ ପୂର୍ବରୁ ପୁନରୁଦ୍ଧାର କରାଯିବାକୁ ମହାରଣା ଦାବି କରିଛନ୍ତି।