Categories: ଫୁରସତ

କମିଂ ଅଫ୍‌ ଏଜ୍‌ ଡେ’: ୧୨.୨ ଲକ୍ଷ ଯୁବପିଢ଼ିଙ୍କୁ ସ୍ବତନ୍ତ୍ର ଅଧିକାର

ଟୋକିଓ: ସ୍ବାଧୀନତା ମନୁଷ୍ୟର ଜନ୍ମସିଦ୍ଧ ଅଧିକାର। ସ୍ବାଧୀନତାର ସ୍ବାଦ ଟିକେ ପାଇବାକୁ ବିଶ୍ୱ ଦେଖିଛି ଅନେକ ଯୁଦ୍ଧ, ରକ୍ତପାତ, ନରସଂହାର। ଠିକ୍‌ ସେମିତି ମନର ଭାବନା ପରିପ୍ରକାଶ କରିବାକୁ ସମସ୍ତେ ଖୋଜବସନ୍ତି ଅବସର। ଏହା ନ ମିଳିଲେ ମଣିଷ ନିଜ ଭିତରେ ହୋଇପଡ଼େ ଅଣନିଃଶ୍ୱାସୀ। ହେଲେ ବ୍ୟକ୍ତିଗତ ସ୍ବାଧୀନତାର ଅର୍ଥ ନୁହେଁ ଅନୁଶାସନରୁ ଏବଂ କର୍ତ୍ତବ୍ୟରୁ ଓହରିଯିବା। ଏହା ହୃଦୟଙ୍ଗମ କରିଛନ୍ତି ଜାପାନବାସୀ। ଏହାକୁ ପରିପ୍ରକାଶ କରିବାକୁ ସୋମବାର ଦେଶବ୍ୟାପୀ ପାଳିତ ହୋଇଛି କମିଂ ଅଫ୍‌ ଏଜ୍‌ ଡେ’, ଯାହାକୁ ଉତ୍ସର୍ଗୀକୃତ କରାଯାଇଛି ଐତିହାସିକ ପରମ୍ପରା ଏବଂ ଯୁବପିଢ଼ିଙ୍କ ନାମରେ।
ଚଳିତବର୍ଷ କମିଂ ଅଫ୍‌ ଏଜ୍‌ ଡେ’ରେ ନୂତନ ଭାବେ ସାମିଲ ହୋଇଛନ୍ତି ୧୨.୨ ଲକ୍ଷ ଯୁବତୀଯୁବକ। ଅର୍ଥାତ୍‌ ସେମାନେ ଏବେ ପାଇଛନ୍ତି ସାବାଳକ ମାନ୍ୟତା। ଏବେ ସେମାନଙ୍କୁ ଅନୁଶାସନ ଭିତରେ ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ। ତେବେ ଟିକେ ହାଲ୍‌କା ହୋଇ ବଞ୍ଚତ୍ବାକୁ ସେମାନଙ୍କ ବ୍ୟକ୍ତିଗତ ଜୀବନର ଧରାବନ୍ଧା ନୀତିନିୟମରେ କରାଯାଇଛି କୋହଳ। ‘କମିଂ ଅଫ୍‌ ଏଜ୍‌ ଡେ’ରେ ସାମିଲ ହୋଇଥିବା ଯୁବତୀଯୁବକମାନେ ଏଣିକି ନିଜ ଇଚ୍ଛାରେ ଜୀବନସାଥୀ ବାଛିପାରିବେ। ଋଣ ଉଠାଣ, ଡେବିଟ୍‌ କାର୍ଡ ବ୍ୟବହାରରେ ସେମାନଙ୍କୁ ଏବେ ସ୍ବୟଂସମ୍ପୂର୍ଣ୍ଣ ବୋଲି ବିବେଚନା କରାଯିବ।
ପ୍ରତିବର୍ଷ ଜାନୁୟାରୀରେ ଜାପାନ ପାଳିଥାଏ କମିଂ ଅଫ୍‌ ଏଜ୍‌ ଡେ’। ନିକଟରେ ସାବାଳକ ମାନ୍ୟତା ହାସଲ କରିବାର ବୟସ ସୀମା ୨୦ରୁ ୧୮ ବର୍ଷକୁ କମାଇ ଦିଆଯାଇଛି। ହେଲେ ଏହା ୨୦୨୨ରୁ ଲାଗୁ ହେବ।

Share