କମିଛି ଆଣ୍ଟିବାୟୋଟିକ ବ୍ୟବହାର

ଲଣ୍ଡନ,୧୩।୫: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏ ପର୍ଯ୍ୟନ୍ତ କୌଣସି ସଫଳ ଔଷଧ ବାହାରି ନ ଥିବାରୁ ସଂକ୍ରମଣ ରୋକିବାକୁ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଛି। ଅଧିକାଂଶ ଲୋକେ ଏବେ ନିଜକୁ ସଫାସୁତୁରା ରଖିବାକୁ ବାରମ୍ବାର ହାତ ଧୋଇବା, ପରିବେଶ ପରିମଳ ରଖିବା, ମାସ୍କ ଆଦିର ବହୁଳ ବ୍ୟବହାର କରୁଛନ୍ତି। ଦୀର୍ଘଦିନ ଧରି ଏହି ଅଭ୍ୟାସ ଜାରିଥିବାରୁ ପୂର୍ବାପେକ୍ଷା ସାଧାରଣ ସଂକ୍ରମଣର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ଏଥିସହ ସଂକ୍ରମଣ ପ୍ରତିରୋଧ କରିବାକୁ ପୂର୍ବର ଆଣ୍ଟିବାୟୋଟିକ୍‌ର ବ୍ୟବହାର ମଧ୍ୟ କମିଥିବା କାର୍ଡିଫ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି।
ଆମେରିକାନ ଜର୍ନାଲ ଅଫ୍‌ ଇନ୍‌ଫେକ୍ସନ କଣ୍ଟ୍ରୋଲରେ ପ୍ରକାଶିତ ଏହି ରିପୋର୍ଟ ମୁତାବକ, ସାଧାରଣରେ ସଂକ୍ରମଣର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ପୂର୍ବାପେକ୍ଷା ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି। ସେହିପରି ପୂର୍ବ ତୁଳନାରେ ପ୍ରାୟ ୩୦ ପ୍ରତିଶତ କମ୍‌ ଆଣ୍ଟିବାୟୋଟିକ୍‌ ଡାକ୍ତର ପ୍ରେସ୍‌କ୍ରାଇବ କରୁଛନ୍ତି। ଶ୍ୱାସକ୍ରିୟା ଜନିତ ସଂକ୍ରମିତ ବ୍ୟକ୍ତି ନିଜକୁ ଅଧିକ ପରିଷ୍କାର ପରିଚ୍ଛନ୍ନ ରଖୁଥିବା ଯୋଗୁ ସେମାନଙ୍କ ଦ୍ୱାରା ଆଣ୍ଟିବାୟୋଟିକର ବ୍ୟବହାର ମଧ୍ୟ କମିଛି। ଗୋଷ୍ଠୀଗତ ସ୍ବଚ୍ଛତାକୁ ଧ୍ୟାନଦେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ ଏହାକୁ ବଜାୟ ରଖାଯାଇପାରିଲେ ସଂକ୍ରମଣ ବହୁମାତ୍ରାରେ କମି ଲୋକେ ସୁସ୍ଥ ଜୀବନଯାପନ କରିପାରିବେ ବୋଲି ଅଧ୍ୟୟନରେ ଭାଗ ନେଇଥିବା ବିଶ୍ୱବିଦ୍ୟାଳୟର ଗବେଷକ ଜାନ୍‌-ୟେଭ୍‌ ମେଲାର୍ଡ କହିଛନ୍ତି। ଗୃହ ଏବଂ ସମ୍ପ୍ରଦାୟର ସ୍ବଚ୍ଛତାକୁ ଗୁରୁତ୍ୱର ସହ ନେଇ ନୀତି ନିର୍ଦ୍ଧାରଣକାରୀମାନେ ଏହି ସମୟରେ ପଦକ୍ଷେପ ନେଇ ଆଣ୍ଟିବାୟୋଟିକ୍‌ର ଆବଶ୍ୟକତାକୁ ହ୍ରାସ କରିବା ଉଚିତ ବୋଲି ଅନୁସନ୍ଧାନକାରୀମାନେ ଦର୍ଶାଇଛନ୍ତି।

Share