Categories: ବାଣିଜ୍ୟ

କମିପାରେ ପେଟ୍ରୋଲ ଡିଜେଲ ଦର

ନୂଆଦିଲ୍ଲୀ,୨୯-୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ଘଟିଛି। ଏହା ଫଳରେ ଆଗାମୀ ଦିନରେ ଭାରତୀୟ ଉପଭୋକ୍ତାଙ୍କ ଲାଗି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମିବା ନେଇ ସମ୍ଭାବନା ଉପୁଜିଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୪% ହ୍ରାସ ଘଟିଛି। ଏହା ପରେ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡିକ ଶନିବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରି ନ ଥିବା ଜଣାପଡ଼ିଛି। ଶୁକ୍ରବାର ଇଣ୍ଟରକଣ୍ଟିନେଣ୍ଟାଲ ଏକ୍ସଚେଞ୍ଜ ବା ଆଇସିଇ ବ୍ରେଣ୍ଟ କ୍ରୁଡର ମୂଲ୍ୟ ୧.୩୭% ହ୍ରାସ ଘଟି ବ୍ୟାରେଲ ପିଛା ୬୧.୮୮ ଡଲାରରେ ବନ୍ଦ ରହିଛି। ଗତ ସପ୍ତାହ ତୁଳନାରେ ଏହି ମୂଲ୍ୟ ବ୍ୟାରେଲ ପିଛା ୨.୪୦ ଡଲାର ବା ୩.୮୯% ହ୍ରାସ ଘଟିଛି। ଗତ ସପ୍ତାହରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୪.୨୮ ଡଲାର ରହିଥିଲା।
ସୌଦି ଆରାମକୋ କମ୍ପାନୀ ଉପରେ ଆକ୍ରମଣ ପରଠାରୁ ତେଲ ଦର ବଢିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବ୍ରେଣ୍ଟ କ୍ରୁଡର ମୂଲ୍ୟ ବ୍ୟାରେଲ ପିଛା ୮ ଡଲାର ହ୍ରାସ ଘଟିଛି। ସୌଦି ଆରବ ଘଟଣା ପରେ ଅଶୋଧିତ ତେଲ ଦର ୨୦% ବୃଦ୍ଧି ଘଟି ବ୍ୟାରେଲ ପିଛା ୭୧.୯୫ ଡଲାର ଛୁଇଁଥିଲା। ଏହା ୨୮ ବର୍ଷର ସବୁଠାରୁ ଦୈନିକ ବଡ ଦର ବୃଦ୍ଧି ବୋଲି ଜଣାପଡିଛି। ଆମେରିକା ଦ୍ୱାରା ଇରାନ ଉପରେ ଲାଗିଥିବା ବାଣିଜି୍ୟକ କଟକଣା ହଟାଇବା ଲାଗି ଆଲୋଚନା ଆରମ୍ଭ ହୋଇଥିବା ରିପୋର୍ଟ ଆସିବା ପରେ ଏହାର ପ୍ରଭାବ ବଜାର ଉପରେ ପଡିଛି। ଆସନ୍ତା ସପ୍ତାହ ସୁଦ୍ଧା ତେଲ ଦର ଆହୁରି କମିପାରେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଆରାମକୋ ଘଟଣା ପରେ ଭାରତରେ ପେଟ୍ରୋଲ ଦର ପ୍ରାୟ ୨.୫ ଟଙ୍କା ଏବଂ ଡିଜେଲ ୧.୯୯ ଟଙ୍କା ପର୍ଯ୍ୟନ୍ତ ବଢିଛି। ଅନ୍ତର୍ଜାତୀୟ ବଜାରରେ ଦର କମିବା ଯୋଗୁ ଏହାର ପ୍ରଭାବ ଭାରତ ବଜାର ଉପରେ ମଧ୍ୟ ପରିଲକ୍ଷିତ ହେବ ବୋଲି କେଡିଆ ଆଡଭାଇଜରିର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି।

Share