Categories: ଖେଳ

କମିଲା ଆରସିବି, କେକେଆର ବ୍ରାଣ୍ଡଭାଲ୍ୟୁ

ମୁମ୍ବାଇ,୧୯।୯: ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱ କ୍ରିକେଟର ସୁପରଷ୍ଟାର। ହେଲେ ତାଙ୍କ ନେତୃତ୍ୱାଧୀନ ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରୁଛି। ଦଳ ଗତ କିଛିବର୍ଷ ହେଲା ପ୍ଲେଅଫ୍‌ରେ ପ୍ରବେଶ କରିପାରି ନାହିଁ। ଏହା ଫ୍ରାଞ୍ଚାଇଜର ବ୍ରାଣ୍ଡଭାଲ୍ୟୁ ଉପରେ ପ୍ରଭାବ ପକାଇଛି। ପୂର୍ବ ଅପେକ୍ଷା ଫ୍ରାଞ୍ଚାଇଜର ବ୍ରାଣ୍ଡଭାଲ୍ୟୁ ୮ ପ୍ରତିଶତ କମିଛି ବୋଲି ଡଫ୍‌ ଆଣ୍ଡ ଫିଲପ୍ସ ପକ୍ଷରୁ କରାଯାଇଥିବା ବାର୍ଷିକ ସର୍ଭେରୁ ଜଣାପଡ଼ିଛି। ୨୦୧୯ ସିଜନ ବିଫଳତା ପରେ ପୂରା କୋଚିଂ ଷ୍ଟାଫକୁ ବିଦା କରିଥିବା ଆରସିବିର ବ୍ରାଣ୍ଡ ମୂଲ୍ୟ ଏବେ ୫୯୫ କୋଟି ଟଙ୍କା। ଆରସିବି ଭଳି କିଛି ବର୍ଷ ହେଲା ଫିଲ୍ଡରେ ଆଖିଦୃଶିଆ ପ୍ରଦର୍ଶନ କରିପାରୁ ନ ଥିବା ବଲିଉଡ ସୁପର ଷ୍ଟାର ଶାହରୁଖ ଖାନଙ୍କ ଦଳ କୋଲକାତା ନାଇଟ ରାଇଡର୍ସ (କେକେଆର) ଫ୍ରାଞ୍ଚାଇଜର ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ୮ ପ୍ରତିଶତ ହ୍ରାସ ପାଇଛି। ଫଳରେ କେକେଆର ଫ୍ରାଞ୍ଚାଇଜର ବ୍ରାଣ୍ଡ ଭାଲ୍ୟୁ ଏବେ ୬୩୦ କୋଟି ଟଙ୍କାରେ ପହଞ୍ଚତ୍ଛି। ଆରସିବି ଭଳି କେକେଆର ମଧ୍ୟ କୋଚିଂ ଷ୍ଟାଫରେ ପରିବର୍ତ୍ତନ କରିଛି। ଦଳରେ ଶାହରୁଖ ଓ କୋହଲିଙ୍କ ଭଳି ଷ୍ଟାର ଥିବାରୁ ଦଳର ବହୁ ସଂଖ୍ୟାରେ ପ୍ରଶଂସକ ରହିଛନ୍ତି। ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଭାଲ୍ୟୁ ୭ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବରୁ ଏହାର ମୂଲ୍ୟ ୬.୩ ବିଲିଅନ ଆମେରିକୀୟ ଡଲାର ଥିଲା। ଏବେ ୬.୮ ବିଲିଅନ ଡଲାର ଅଛି। ଭାରତୀୟ ମୁଦ୍ରାରେ ୪୮,୪୩୪.୧୯ କୋଟି ଟଙ୍କାରୁ ଅଧିକ। ଚଳିତ ବର୍ଷ ବିଜ୍ଞାପନରୁ ୨୦ ପ୍ରତିଶତ ଅଧିକ ରାଜସ୍ବ ମିଳିଛି। ଆରସିବି ଓ କେକେଆର ଦଳର ମୂଲ୍ୟ ହ୍ରାସ ପାଇଥିବାବେଳେ ୨୦୧୮ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଭାଲ୍ୟୁରେ ୧୩.୧ ପ୍ରତିଶତ ବୃଦ୍ଧି ପାଇଛି। ଦଳର ମୂଲ୍ୟ ଏବେ ୭୩୨ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହି ଦଳ ଆଇପିଏଲର ସର୍ବାଧିକ ଭାଲ୍ୟୁ ଥିବା ଫ୍ରାଞ୍ଚାଇଜ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ମହେନ୍ଦ୍ର ସିଂ ଧୋନୀଙ୍କ ଲୋକପ୍ରିୟତା ଯୋଗୁ ସିଏସ୍‌କେ ଦୁଇବର୍ଷ ବାସନ୍ଦ ରହିବା ପରେ ମଧ୍ୟ ଭାଲ୍ୟୁରେ ବୃଦ୍ଧି ଘଟିଛି। ଏ ବର୍ଷ ୪ର୍ଥ ଆଇପିଏଲ ଟାଇଟଲ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ଭଳି ଶୀର୍ଷରେ ରହିଛି। ଦଳର ଭାଲ୍ୟୁରେ ୮୦୯ କୋଟିରେ ଟଙ୍କାରେ ରହିଛି, ଯାହାକି ପୂର୍ବ ଅପେକ୍ଷା ୮.୫ ପ୍ରତିଶତ ଅଧିକ। ମୁମ୍ବାଇ ଫ୍ରାଞ୍ଚାଇଜ କ୍ରମାଗତ ୪ର୍ଥ ଥର ପାଇଁ ଏହି ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି।

Share