କମିଲା ବସ୍‌ ଭଡ଼ା: କିଲୋମିଟର ପିଛା ୧ ଓ ୨ ପଇସା

ଭୁବନେଶ୍ୱର,୨।୨(ବ୍ୟୁରୋ): ତୈଳ ଦର ହ୍ରାସ ପାଇବା ଯୋଗୁ ରାଜ୍ୟରେ ବସ୍‌ ଭଡା କମିଛି। ଏ ନେଇ ଶନିବାର ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତୈଳ ଦର ହ୍ରାସ ପାଇଥିବାରୁ ସ୍ବୟଂକ୍ରିୟ ବ୍ୟବସ୍ଥା (ଅଟୋମେଶନ ସିଷ୍ଟମ୍‌) ଅନୁଯାୟୀ ରାଜ୍ୟରେ ବସ୍‌ ଭଡା ହ୍ରାସ ପାଇଛି। କିଲୋମିଟରକୁ ଯଥାକ୍ରମେ ୧ ଓ ୨ ପଇସା କମିଛିି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡା କିଲୋମିଟର ପିଛା ୧ ପଇସା ଲେଖାଏ ହ୍ରାସ ପାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ କିଲୋମିଟରକୁ ୨ ପଇସା ହ୍ରାସ ପାଇଛି। ଏଥିଯୋଗୁ ସାଧାରଣ ବସ୍‌ ଭଡା କିଲୋମିଟର ପିଛା ୭୦ ପଇସାରୁ ୬୯ ପଇସାକୁ ହ୍ରାସ ହୋଇଥିବା ବେଳେ ଏକ୍ସପ୍ରେସ ୭୩ରୁ ୭୨, ଡିଲକ୍ସ ବସ କିଲୋମିଟର ପିଛା ୧ଟଙ୍କା ୧ ପଇସାରୁ ୯୯ ପଇସା ଏବଂ ଏସି ଡିଲକ୍ସ ବସ କିଲୋମିଟର ପିଛା ୧ଟଙ୍କା ୨୩ ପଇସାରୁ ୧ ଟଙ୍କା ୨୧ ପଇସାକୁ ହ୍ରାସ ପାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ବସ୍‌ ଭଡା ବୃଦ୍ଧି ଓ ହ୍ରାସ ପାଇଁ ରାଜ୍ୟ ସରକାର ଅଟୋମେଶନ ବା ସ୍ବୟଂକ୍ରିୟ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଡିଜେଲ ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ହେଲେ କିଲୋମିଟରକୁ ଭଡା ୧ ଓ ୨ ପଇସା ବଢିବ। ସେହି ଆଧାରରେ ବସ୍‌ ଭଡା ବୃଦ୍ଧି ଓ ହ୍ରାସ ହୋଇ ଆସୁଛି। ବସ୍‌ ଭଡା କମିଥିବାରୁ ଯାତ୍ରୀମାନେ ଆଶ୍ୱସ୍ତ ହୋଇଛନ୍ତି।

Share