Categories: ଜାତୀୟ

କମିଲା ଭାଜପାର ବିଜୟ ବ୍ୟବଧାନ:ହରିୟାଣାରେ ଅଟକିଲା ବିଜୟ ରଥ

ନୂଆଦିଲ୍ଲୀ,୨୫-୧୦(ପି.ଟି.):ସାଧାରଣ ନିର୍ବାଚନରେ ହରିୟାଣାର ସମସ୍ତ ୧୦ ଲୋକ ସଭା ଆସନ ଅକ୍ତିଆର କରିବାର ୫ ମାସ ପରେ ଭାଜପାକୁ ଲାଗିଛି ଝଟକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ତୋଫାନୀ ପ୍ରଚାର ଏବଂ ‘ଅନୁଚ୍ଛେଦ ୩୭୦ ଉଚ୍ଛେଦ’ ଭଳି ବଡ଼ ବଡ଼ ପ୍ରସଙ୍ଗ ଫିକା ପଡ଼ିଯାଇଛି। ସ୍ଥାନୀୟ ପ୍ରସଙ୍ଗଗୁଡ଼ିକୁ ଅଣଦେଖା କରିବା ଯୋଗୁ ଗୈରିକ ଦଳର ଭୋଟ ହାର ହ୍ରାସ ପାଇଛି। ଗୋଟିଏ ପରେ ଗୋଟିଏ ରାଜ୍ୟ ଜୟ କରିଚାଲିଥିବା ଭାଜପାର ବିଜୟ ରଥ ହରିୟାଣାରେ ଅଟକିଯାଇଛି ବୋଲି ରାଜନୈତିକ ପଣ୍ଡିତମାନେ କହୁଛନ୍ତି।
ଦ୍ୱିତୀୟ ପାଳି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ-୨) ଗଠନ ହେବା ପରେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ହେଉଛି ଭାଜପା ପାଇଁ ପ୍ରଥମ ପରୀକ୍ଷା। ଏଥିରେ ଭାଜପା ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ଏହାର ଭୋଟ ବ୍ୟବଧାନ କମିଯାଇଛି। ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପାକୁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଅନ୍ୟ ଦଳର ସମର୍ଥନ ବିନା ପୁନଃ କ୍ଷମତାସୀନ ହେବା ଅସମ୍ଭବ। ଏପ୍ରିଲ-ମେ’ରେ ହୋଇଥିବା ଲୋକ ସଭା ନିର୍ବାଚନରେ ଭାଜପା ୫୮% ଭୋଟ ପାଇ ହରିୟାଣାର ସମସ୍ତ ୧୦ଟି ଆସନ ଅକ୍ତିଆର କରିଥିଲା। ହେଲେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ୩୬% ମିଳିଛି। ଅର୍ଥାତ୍‌ ୫ ମାସ ମଧ୍ୟରେ ଭାଜପାର ଭୋଟ ହାର ୨୨% କମିଯାଇଛି। ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ବିଜୟୀ ହୋଇଥିଲେ ମଧ୍ୟ ତାଙ୍କର ଅଧିକାଂଶ କ୍ୟାବିନେଟ ସହଯୋଗୀ ପରାଜୟର ମୁହଁ ଦେଖିଛନ୍ତି। କ୍ୟାପ୍‌ଟେନ୍‌ ଅଭିମନ୍ୟୁ, ଓ.ପି. ଧନକାର, ରାମବିଳାସ ଶର୍ମା, କବିତା ଜୈନ, କ୍ରିଷନ ଲାଲ ପନଓ୍ବାରଙ୍କ ଭଳି ବରିଷ୍ଠ ମନ୍ତ୍ରୀମାନଙ୍କୁ ଅପମାନଜନକ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। କେବଳ ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍‌ ଓ ଦଳର ରାଜ୍ୟ ସଭାପତି ସୁଭାଷ ବରାଲାଙ୍କ ବିଜୟ ଭାଜପା ପାଇଁ ଆଶ୍ୱସ୍ତି ଆଣିଦେଇଛି। ‘ଅବ୍‌କୀ ବାର୍‌ ୭୫ ପାର୍‌’ ସ୍ଲୋଗାନ ଦେଇ ମଇଦାନକୁ ଓହ୍ଲାଇଥିବା ଭାଜପା ୯୦ ଆସନ ବିଶିଷ୍ଟ ବିଧାନସଭାରେ ମ୍ୟାଜିକ୍‌ ନମ୍ବର ୪୬କୁ ଛୁଇଁପାରି ନାହିଁ। ଏଥିଲାଗି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ସମସ୍ତ ଅଣଭାଜପା ଦଳକୁ ଏକାଠି ହୋଇ ସରକାର ଗଠନ ପାଇଁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଜନାଦେଶ ଭାଜପା ବିରୋଧରେ ଯାଇଛି। ଏହି ଦଳକୁ କ୍ଷମତାରୁ ଦୂରେଇ ରଖିବା ସହ ଏକ ଦୃଢ଼ ସରକାର ଗଠନ ପାଇଁ କଂଗ୍ରେସ ସହ ଜେଜେପି, ଆଇଏନ୍‌ଏଲ୍‌ଡି ଏବଂ ସ୍ବାଧୀନ ବିଧାୟକମାନେ ହାତ ମିଳାନ୍ତୁ। ଅନ୍ୟପକ୍ଷରେ ଜେଜେପି ଅଧ୍ୟକ୍ଷ ଦୁଷ୍ୟନ୍ତ ଚୌତାଲାଙ୍କୁ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ଯଚାଯାଇଥିବା ନେଇ ଚର୍ଚ୍ଚା ହେଉଛି।

 

Share