କମିଶନରେଟ୍‌ ପୋଲିସରେ ହେବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଡ୍ରଗ୍ସ ମାଫିଆ, ଜମି ମାଫିଆ, ବନ୍ଧୁକ ବେପାରୀ ଓ ସଂଗଠିତ ଅପରାଧୀ ସାବାଡ଼ ହେବେ। ବଡ଼ ଅପରାଧ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଭଳି କମିଶନରେଟ ପୋଲିସରେ ଗଠନ ହେବ ‘ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌’। କର୍ମଚାରୀ ହେଉ ଅବା ସମୟର ଅଭାବ ଯୋଗୁ ଥାନାଗୁଡିକରେ ବଡ଼ ଅପରାଧଗୁଡିକୁ ତଦନ୍ତ କରିବା ସମ୍ଭବ ହେଉ ନ ଥିବାରୁ କମିଶନରେଟ ପୋଲିସ ସ୍ତରରେ ଏଭଳି ଏକ ନୂଆ ପ୍ରସ୍ତୁତି ଚାଲିଛି। ମାମଲାର ଗୁରୁତ୍ୱକୁ ଦେଖି ପୋଲିସ କମିଶନର ତଦନ୍ତ ପାଇଁ ଏହି ଟିମ୍‌କୁ ନିର୍ଦ୍ଦେଶ ଦେବେ। ୨୫ରୁ ୩୦ଜଣ ଦକ୍ଷ ପୋଲିସ ଅଫିସରଙ୍କୁ ନେଇ ଟିମ୍‌ ଗଠନ ହେବ ଓ ମୁଖ୍ୟଭାବେ ଡିଆଇଜି ର଼୍ୟାଙ୍କ୍‌ର ଜଣେ ଅଫିସର ରହିବେ। ଗୋଇନ୍ଦା ସୂଚନା ଦେବାକୁ ସ୍ବତନ୍ତ୍ର ଅଫିସର ନିୟୋଜିତ ରହିବେ। ଏଭଳି ଏକ ପ୍ରସ୍ତାବର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସପ୍ତାହକ ମଧ୍ୟରେ ଏହାକୁ ଗୃହ ବିଭାଗ ନିକଟକୁ ପଠାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ମଙ୍ଗଳବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ପୂର୍ବତନ ଗୃହ ସଚିବ, ପୂର୍ବତନ ଡିଜିପିଙ୍କ ସମେତ କେତେଜଣ ବରିଷ୍ଠ ନାଗରିକ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଥିଲେ। ବଡ଼ ତଥା ସମ୍ବେଦନଶୀଳ ମାମଲାର ତଦନ୍ତ ସାରିବାକୁ ଥାନାକୁ ଅଧିକ ସମୟ ଲାଗୁଛି। ଥାନା କର୍ମଚାରୀମାନେ ତୃଣମୂଳସ୍ତରରୁ ତଦନ୍ତ କରୁ ନ ଥିବାରୁ ଲୋକଙ୍କୁ ନ୍ୟାୟ ମିଳିପାରୁ ନାହିଁ। ଏଣୁ କମିଶନରେଟ ପୋଲିସ ଏଥିପାାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରୁ ବୋଲି ମତ ପ୍ରକାଶ ପାଇଥିଲା। ପୋଲିସ କମିଶନର ଷଡ଼ଙ୍ଗୀ କହିଛନ୍ତି, ଗୃହ ବିଭାଗର ଅନୁମତି ମିଳିବା ପରେ ହିଁ ‘ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌’ ଗଠନ କରାଯିବ। ଏଥିପାଇଁ ସହରର ବିଭିନ୍ନବର୍ଗର ପ୍ରସ୍ତାବ ଓ ମତାମତକୁ ସ୍ବାଗତ କରାଯିବ। ଏହି ବ୍ୟବସ୍ଥା ମୁମ୍ବାଇ, କଲିକତା, ଦିଲ୍ଲୀ ଓ ହାଇଦ୍ରାବାଦ ଭଳି ସହରରେ କରାଯାଇଛି। ତେଣୁ ଭୁବନେଶ୍ୱରରେ ଏହା ସଫଳ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି କମିଶନର। ସୂଚନାଯୋଗ୍ୟ, ପୂର୍ବରୁ ଲ’ ଆଣ୍ଡ୍‌ ଅର୍ଡର ଏବଂ ତଦନ୍ତକୁ ଅଲଗା କରିବା ପାଇଁ ଯୋଜନା ହୋଇଥିଲା। ପୂର୍ବତନ ପୋଲିସ ଡିଜି ଆର୍‌.ପି ଶର୍ମା ଗୃହବିଭାଗକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରି ନ ଥିବାବେଳେ ନୂଆ ପ୍ରସ୍ତାବକୁ ତୁରନ୍ତ ତର୍ଜମା କରାଯିବାର ଆବଶ୍ୟକତା ରହିଛି।

Share