କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ହେବ ‘ପୋଲିସ ସେବା ଭବନ’: ଏବେଠୁ ‘ଆମ ପୋଲିସ-ଆମ ସୁରକ୍ଷା’

ଭୁବନେଶ୍ୱର,୨।୧(ବ୍ୟୁରୋ): କମିଶନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ଗୁରୁବାର ଓଏସ୍‌ଏସ୍‌ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ପାଳନ କରାଯାଉଛି। ଏହି ଅବସରରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବଡ଼ ଘୋଷଣା କରିଛନ୍ତି। କମିଶନରେଟ ପୋଲିସ ମୁଖ୍ୟାଳୟର ନାମ ବଦଳି ପୋଲିସ ସେବା ଭବନ ନାମରେ ନାମିତ ହେବ ବୋଲି ସେ କହିଛନ୍ତି। ଏଥିସହ ଆଗାମୀ ଦିନରେ ପୋଲିସକୁ ୩ଟି ମନ୍ତ୍ର ସମବେଦନା, ସହାନୁଭୂତି ଓ ବୃତ୍ତିଗତ ଦକ୍ଷତା ସହକାରେ କାମ କରିବାକୁ ହେବ। ସଂଗଠିତ ଅପରାଧକୁ ନିୟନ୍ତ୍ରଣ କରିବାକୁ ପୋଲିସ ଅଧିକ ଯତ୍ନବାନ ମଧ୍ୟ ହେବ। କଟକ-ଭୁବନେଶ୍ୱରରେ ପ୍ରଭାବୀ ସିସିଟିଭି ବ୍ୟବସ୍ଥା କରାଯିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଦ୍ୱାରା ଫେସିଆଲ ରେକଗ୍‌ନାଇଜେଶନ ବ୍ୟବସ୍ଥା କରାଯିବ। ଆଉ ପୋଲିସ ଉଇ କେୟାର ଉଇ ଡେୟାର ନୁହେଁ, ଏବେ ‘ଆମ ପୋଲିସ-ଆମ ସୁରକ୍ଷା’ ଭାବେ ବୋଲି ପରିଚିତ ହେବ। ଏହାଛଡ଼ା ଟ୍ରାଫିକ୍‌ ସମସ୍ୟା ଦୂର ହେବା ସହ ବରିଷ୍ଠ ନାଗରିକ ଓ ମହିଳାଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୁଧାଂଶୁ କହିଛନ୍ତି।

ସେହିଭଳି ଉତ୍ସବରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇ କହିଛନ୍ତି, ଦ୍ୱୈତନଗରୀରେ ୟୁନିଫାଏଡ୍‌ କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା ହେବ। ତ୍ୱରିତ ଓ ସମନ୍ବିତ କାର୍ଯ୍ୟ ସହରାଞ୍ଚଳ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। କଠିନ ପରିଶ୍ରମ କରି ପୋଲିସ ଲୋକଙ୍କୁ ସେବା ଯୋଗାଉଛି ବୋଲି ସେ କହିଛନ୍ତି।

Share