କମିଶନରେଟ ପୋଲିସର ସୋସିଆଲ ଡିଷ୍ଟାନ୍ସ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌, ବଜାର ଅଞ୍ଚଳରେ ବୁଲିବ

ଭୁବନେଶ୍ୱର,୭।୫(ବ୍ୟୁରୋ): କରୋନାର ମୁକାବିଲା ନିମନ୍ତେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଖୋଲିଥିବା ଦୋକାନ ଗୁଡ଼ିକରେ ବିଭିନ୍ନ ବ୍ୟବସ୍ଥା କରିବାକୁ ସଚେତନ କରାଯାଉଛି। ଏହି କ୍ରମରେ କମିଶନରେଟ ପୋଲିସ ପକ୍ଷରୁ ସୋସିଆଲ ଡିଷ୍ଟାନ୍ସ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ କରାଯାଇଛି। ୧୦ଜଣରୁ ଅଧିକ ପୋଲିସ କର୍ମଚାରୀଙ୍କୁ ନେଇ ଏହି ସ୍କ୍ବାଡ୍‌ ଗଠନ ହୋଇଥିବା ବେଳେ ଜଣେ ଅଫିସର ଏହାର ତଦାରଖ କରିବେ। ଏହି ସ୍କ୍ବାଡ୍‌ ବଜାର ଅଞ୍ଚଳରେ ବୁଲିବ। ଦୋକାନୀମାନେ ସାମାଜିକ ଦୂରତା ବଜାୟ ରଖିବା ତଥା ଗ୍ରାହକମାନେ ମାସ୍କ ପିନ୍ଧୁଛନ୍ତି କି ନାହିଁ ସେଥିରେ ନଜର ରଖିବ। ସେହିଭଳି ୨ମିଟର ଦୂରତା ଆଦି କଟକଣା ପାଳନ ନ କଲେ ୧୦୦ରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ବଜାର ଉପରେ ତିକ୍ଷ୍ଣ ନଜର ରଖିବା ସହ ଲୋକମାନଙ୍କୁ ସଚେତନ କରିବା ମୂଳ ଲକ୍ଷ୍ୟ ରହିଛି। ଧିରେ ଧିରେ ଏହା ଅଭ୍ୟାସରେ ପରିଣତ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ବାପୁଜି ନଗର ଅଞ୍ଚଳରେ ଗୁରୁବାର ଲୋକମାନଙ୍କୁ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି।

Share