କମିଶନରେଟ ପୋଲିସ ସହ ବସ୍‌ ମାଲିକଙ୍କ ବୈଠକ: ଓଭରବ୍ରିଜ ଉପରେ ହିଁ ଯିବ ଦୂରଗାମୀ ବସ୍‌

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଦୂରଗାମୀ ବସ୍‌କୁ ଓଭରବ୍ରିଜ୍‌ ତଳେ ନ ଯିବାକୁ ପୋଲିସ କମିଶନର ନିର୍ଦ୍ଦେଶ ରହିଥିଲା। ଯେଉଁମାନେ ନିୟମ ଭାଙ୍ଗି ଓଭରବ୍ରିଜ ତଳେ ଯିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା ଏ ନେଇ ମଧ୍ୟ କମିଶନରେଟ ପୋଲିସ ପକ୍ଷରୁ ବସ୍‌ ମାଲିକମାନଙ୍କୁ ନୋଟିସ୍‌ କରାଯାଇଥିଲା। ନୋଟିସ୍‌ ପରେ ବସ୍‌ ମାଲିକମାନେ ଓଭରବ୍ରିଜ ଉପରେ ବସ୍‌କୁ ନେଇଥିଲେ। ହେଲେ ବସ୍‌ ଓଭରବ୍ରିଜ୍‌ ଉପର ଦେଇ ଯିବା ପରେ ବସ୍‌ ମାଲିକମାନଙ୍କର ବ୍ୟାପକ କ୍ଷତି ହୋଇଥିଲା। ତେଣୁ ସେମାନେ ପୁଣି ବସ୍‌କୁ ଓଭରବ୍ରିଜ ତଳ ଦେଇ ଯିବାକୁ ଦାବି କରିଥିଲେ। ଏ ନେଇ ଅଲ୍‌ ଓଡିଶା ବସ୍‌ ଆସୋସିଏଶନ ଶୁକ୍ରବାର ଅପରାହ୍ନରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ଟ୍ରାଫିକ ଡିସିପି ସାଗରିକା ନାଥ, ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।
ବସ୍‌ ମାଲିକମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ପୋଲିସ କମିଶନର ଷଡଙ୍ଗୀଙ୍କୁ ଜଣାଇଥିଲେ। ବସ୍‌ ଓଭରବ୍ରିଜ୍‌ ଉପର ଦେଇ ଯାଉଥିବାରୁ ଯାତ୍ରୀମାନେ ସବୁ ଲୋକାଲ ବସ୍‌ରେ ଚଢୁଛନ୍ତି। ତେଣୁ ସେମାନଙ୍କ ବେପାର ମାନ୍ଦା ହେଉଛି। ତେଣୁ ପୂର୍ବଭଳି ତଳେ ଦିଆଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ପୋଲିସ କମିଶନର ଷଡଙ୍ଗୀ ସେମାନଙ୍କ ଅଭିଯୋଗ ଶୁଣିବା ପରେ ଟ୍ରାଫିକ ସମସ୍ୟା ଉପୁଜିଲେ ଦାୟୀ କିଏ ରହିବ ବୋଲି ପ୍ରଶ୍ନ କରିଥିଲେ। ଯାହାଦ୍ୱାରା ବସ୍‌ ମାଲିକମାନେ କିଛି କହି ପାରି ନ ଥିଲେ। ଶେଷରେ ସିପି ପୂର୍ବ ନିଷ୍ପତ୍ତିକୁ ବଳବତ୍ତର ରଖିଥିଲେ। ଦୂରଗାମୀ ବସ୍‌ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବାହାରିବା ପରେ ଓଭରବ୍ରିଜ୍‌ ଦେଇ ନୟାପଲ୍ଲୀ କ୍ରାଉନ ହୋଟେଲ ନିକଟରେ ରଖିବେ। ସେଠାରୁ ଯାତ୍ରୀ ବସ୍‌ରେ ଚଢିବା ପରେ ବସ୍‌ ସିଧା ସତ୍‌ସଙ୍ଗବିହାରରେ ରହିବ। ଏହାପରେ ସେଠାରୁ ଯାତ୍ରୀ ନେଇ ରସୁଲଗଡ ଓଭରବ୍ରିଜ ଦେଇ ହଂସପାଳ ଯିବେ ବୋଲି ତାଗିଦ୍‌ କରାଯାଇଛି। ଅନ୍ୟପକ୍ଷରେ ବସ୍‌ ମାଲିକମାନେ ପୂଜା ଚାନ୍ଦାକୁ ନେଇ ଗୁରୁତର ଅଭିଯୋଗ କରିଥିଲେ। ସେମାନେ ବସ୍‌ ନେଇ ଯିବାବେଳେ ଅନେକ ପୂଜା ମଣ୍ଡପ ଚାନ୍ଦା ମାଗୁଛନ୍ତି। ଏପରି କି ୫ ଶହ କି ହଜାର ନୁହେ,ଁ ପୂରା ୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଦାବି କରୁଛନ୍ତି। ଟଙ୍କା ନ ଦେଲେ ବସ୍‌ କାଚ ଭାଙ୍ଗି ଦେବେ ବୋଲି ଧମକ ଦେଉଥିବା ସେ କହିଥିଲେ। ପୋଲିସ କମିଶନର ଷଡଙ୍ଗୀ ସେମାନଙ୍କ ଅଭିଯୋଗ ଶୁଣିବା ପରେ ଯେଉଁ ପୂଜା ମଣ୍ଡପର ସଦସ୍ୟମାନେ ଏଭଳି କରୁଛନ୍ତି ଏ ନେଇ ଥାନାରେ ଅଭିଯୋଗ କରନ୍ତୁ। ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ।

Share