କମୁଛି ଅଭିବୃଦ୍ଧି, ବଢୁଛି ଋଣ ଭାର: ଆନ୍ଧ୍ର, ତେଲଙ୍ଗାନା, ପଶ୍ଚିମବଙ୍ଗଠାରୁ ପଛରେ ଓଡ଼ିଶା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ମୁଣ୍ଡପିଛା ଋଣ ୩ ଗୁଣା ହୋଇଛି। ଚଳିତବର୍ଷ ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ୨୩ ହଜାର ୫୮୪ କୋଟି ଟଙ୍କାର ଋଣ କରିଛନ୍ତି। ପ୍ରତ୍ୟେକ ବର୍ଷ ହାରାହାରି ୧୦ ହଜାର କୋଟି ଟଙ୍କାର ଋଣ ଭାର ରାଜ୍ୟ ଉପରେ ପଡୁଛି।

୨୦୧୯-୨୦ ଆର୍ଥିକବର୍ଷ ଶେଷସୁଦ୍ଧା ରାଜ୍ୟର ଋଣ ଭାର ୧.୦୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ରାଜ୍ୟ ଘରୋଇ ସାମଗ୍ରିକ ଉତ୍ପାଦ(ଜିଏସ୍‌ଡିପି) ମଧ୍ୟ ଆଶାଜନକ ହେଉ ନାହିଁ। ରାଜ୍ୟର ଜିଏସ୍‌ଡିପି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ତେଲଙ୍ଗାନା ଠାରୁ କମ୍‌ ରହିଛି। ମିଳିଥିବା ସୂଚନା ଅନୁଯାୟୀ ୧୯୯୯-୨୦୦୦ରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୫ ହଜାର ଟଙ୍କା ଥିବା ବେଳେ ଏବେ ୧୮ ହଜାର ୧୮୯ ଟଙ୍କାରେ ପହଞ୍ଚିଛି। ରାଜ୍ୟର ଋଣ ଭାର ୮୪ ହଜାର କୋଟି ରହିଛି। ଚଳିତ ଆର୍ଥିକବର୍ଷରେ ସରକାର ଖୋଲା ବଜାରରୁ ୪ ହଜାର କୋଟି ଟଙ୍କାର ଋଣ ଉଠାଇବାକୁ ଯୋଜନା କରିଛନ୍ତି। ରାଜ୍ୟର ଋଣ ଭାର ଜିଏସ୍‌ଡିପିର ୧୯.୭ ପ୍ରତିଶତ ରହିଛି। ପଡ଼ୋଶୀ ରାଜ୍ୟ ତୁଳନାରେ ରାଜ୍ୟର ଜିଏସ୍‌ଡିପି ସନ୍ତୋଷଜନକ ହେଉ ନାହିଁ। ୨୦୧୮-୧୯ରେ ଓଡ଼ିଶାର ଜିଏସ୍‌ଡିପି ଅଭିବୃଦ୍ଧି ୮.୨୬ ଥିବାବେଳେ ସେହି ସମୟରେ ଆନ୍ଧ୍ରପ୍ରଦେଶର ଜିଏସ୍‌ଡିପି ୧୧.୦୨, ତେଲଙ୍ଗାନା ୧୦.୫୦ ଏବଂ ପଶ୍ଚିମବଙ୍ଗର ୧୨.୫୮ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ବିତ୍ତୀୟ ନିଅଣ୍ଟ ୩.୪୦ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

Share