କମୁଛି ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟା

ବିନିକା,୨୬ା୨(ଡି.ଏନ୍‌.ଏ.) – ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଓ ଏନଏସି ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗର ଗଣନାରୁ ଏହା ସ୍ପଷ୍ଟ ହୋଇଛି। ୨୦୦୩ ମସିହାର ଗଣନା ଅନୁଯାୟୀ ଏହି ଅଞ୍ଚଳରେ ଗାଈ, ବଳଦ, ମଇଁଷି, ମେଣ୍ଢା, ଛେଳି, ଘୁଷୁରୀ, କୁକୁଡା ପ୍ରଭୃତି ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟା ଥିଲା ୬୦.୭୧୨। ଏହାର ୧୪ବର୍ଷ ପରେ ୨୦୧୭ରେ ହୋଇଥିବା ପ୍ରାଣୀ ସମ୍ପଦ ବିଭାଗ ଗଣନାରେ ଏହି ସଂଖ୍ୟା ୩୨.୬୬୮କୁ ଖସି ଆସିଲା। ଅର୍ଥାତ୍‌ ଏହି ୧୪ବର୍ଷ ମଧ୍ୟରେ ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟାରେ ୨୮.୦୪୪ ହ୍ରାସ ଘଟିଲା। ପ୍ରତି ୫ବର୍ଷରେ ହେଉଥିବା ଏହି ଗଣନାର ପରବର୍ତ୍ତୀ ସମୟରେ ସ୍ଥିତି କଣ ହେବ ତାହା ଗୋପ୍ରେମୀ ଓ ଗୋଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟାରେ ହ୍ରାସ ପାଇଁ ବିଭିନ୍ନ କାରଣକୁ ଦାୟି କରାଯାଉଛି। ତେବେ ଚାରଣ ଭୂମି ଧିରେଧିରେ ବିନିକା ଅଞ୍ଚଳରେ ହ୍ରାସ ପାଇବାକୁ ମୁଖ୍ୟ କାରଣ ବୋଲି ଗୋଚାଷୀମାନେ କହିଛନ୍ତି। ଶିଳ୍ପଦ୍ୟୋଗ ଓ ସହରୀକରଣ ଯୋଗୁଁ ଚାରଣଭୂମି ବିଭିନ୍ନ ଉପାୟରେ ବିନିଯୋଗ ହେଉଛି ା ୨୦୧୨ ମସିହାର ତଥ୍ୟ ଅନୁସାରେ ବିନିକା ଅଞ୍ଚଳରେ ୧୫ହଜାର ହେକ୍ଟର ଚାରଣ ଭୂମି ରହିଥିଲା ା ତେବେ ସମ୍ପ୍ରତି ଏହା ହ୍ରାସ ପାଇ ୯ ହଜାର ହେକ୍ଟରରେ ପହଞ୍ଚିଛି ା ବିନିକା ତହସିଲ ଅଧୀନରେ ଥିବା ଶହଶହ ହେକ୍ଟର ଗୋଚର ଜମି ଜବରଦଖଲକୁ ଚାଲି ଯାଇଛି। ଏ ନେଇ ରାଜସ୍ବ ବିଭାଗ କେତେକ ସ୍ଥାନରେ ମାମଲା ରୁଜୁ କରି ଚୁପ୍‌ ହୋଇ ବସିଛି। ଏଥିସହିତ ଉଠା ଜଳସେଚନ ପଏଣ୍ଟ, ଇଲେକ୍ଟ୍ରି ଖୁମ୍ବ ପୋତିବା, ଖେଳ ପଡିଆ, ପୋଖରୀ ଖନନ, ବାଲି ମହଜୁଦ୍‌ ରଖିବା ଆଦି ସରକାରୀ କାର୍ଯ୍ୟରେ ମଧ୍ୟ ଗୋଚର ଜମି ଜବରଦଖଲ ହେଉଛି ା ଏହା ଖାଦ୍ୟାଭାବ ସୃଷ୍ଟି କରି ଗୃହପାଳିତ ପଶୁପକ୍ଷୀଙ୍କ ସଂଖ୍ୟାରେ ଆଶାତୀତ ହ୍ରାସ କରାଉଛି।
ସମ୍ପ୍ରତି ଅବାଧ ଗୋଚାଲାଣ ପ୍ରତି କୌଣସି କଟକଣା ରହୁନାହିଁ ା ବିନିକା-ସୋନପୁର ୩୯ନମ୍ବର ମୁଖ୍ୟରାସ୍ତା, ଅରିଗାଁ-ରାମପୁର କେନାଲ ରାସ୍ତା, ବିଶାଲପାଲି-ଗୋଡଭଗା ମୁଖ୍ୟରାସ୍ତା ଦେଇ ବେପାରୀମାନେ ଅନାୟାସରେ ବିହାର, ଝାରଖଣ୍ଡ ଓ ଆନ୍ଧ୍ର ପ୍ରଭୃତି ରାଜ୍ୟକୁ ହଜାରହଜାର ସଂଖ୍ୟାରେ ଗୋରୁ ଚାଲାଣ କରୁଛନ୍ତି। ପାରମ୍ପରିକ ପରିଧିରୁ ବାହାରି ଚାଷୀମାନେ ଏବେ ଗୋପାଳନ ବ୍ୟବସାୟିକ ଦୃଷ୍ଟିକୋଣରୁ କରୁଥିବା ଦେଖିବାକୁ ମିଳୁଛି। ଏଥିଯୋଗୁ ଦେଶୀ ଗୋରୁ, ଛେଳି, ମେଣ୍ଢା ପାଳନ କରିବାକୁ ଲୋକେ ଇଛା ପ୍ରକାଶ କରୁନାହାନ୍ତି। ଗୋଖାଦ୍ୟର ଅହେତୁକ ଦରବୃଦ୍ଧି, ଗୃହପାଳିତ ପଶୁପକ୍ଷୀଙ୍କଠାରୁ ଉତ୍ପାଦିତ ସାମଗ୍ରୀର ବିକ୍ରି ପାଇଁ ବଜାର ବ୍ୟବସ୍ଥା ନ ଥିବାରୁ ଚାଷୀ ଗୋପାଳନରୁ ରୂରେଇ ଯାଉଥିବା ବ୍ଲକ ଅନ୍ତର୍ଗତ ପଲସପାପାଲି ଗଁାର ଚାଷୀ ଘନଶ୍ୟାମ ପଧାନ କହିଛନ୍ତି। ସମାନମତ ପୋଷଣ କରିଛନ୍ତି ସିଂଘିଯୁବା ଗଁାର ଚାଷୀ ନରସିଂହ ସେଠୀ। ଏନେଇ ବିନିକା ପ୍ରାଣୀ ସମ୍ପଦ ଅଧିକାରୀ ବିଜୟ କୁମାର ପାତ୍ରଙ୍କୁ ପଚାରିବାରୁ ଚାରଣଭୂମି ଜବରଦଖଲ ଯୋଗୁଁ ସଙ୍କୁଚିତ ହେବା, ବେଆଇନ ଗୋଚାଲାଣ ଏବଂ ଗୋଖାଦ୍ୟର ଅହେତୁକ ଦର ବୃଦ୍ଧି ପ୍ରାଣୀସମ୍ପଦର ଅଭିବୃଦ୍ଧିରେ ପ୍ରତିବନ୍ଧକ ସାଜିଛି ବୋଲି କହିଛନ୍ତି।

Share