Categories: ବାଣିଜ୍ୟ

କମୁଛି ତେଲ ଚାହିଦା, ଧିମାଉଛି ଅର୍ଥନୀତି

ନୂଆଦିଲ୍ଲୀ,୧୬-୬: ଦେଶର ଇନ୍ଧନ(ତେଲ) ଚାହିଦା ମେ’ରେ ଅପରିବର୍ତ୍ତିତ ରହିଛି। ପୂର୍ବବର୍ଷ ଯାହା ଚାହିଦା ଥିଲା ଚଳିତ ବର୍ଷ ଏହି ଅବଧିରେ ତାହା ରହିଥିବାରୁ ଦେଶର ଅର୍ଥନୀତିର ବିକାଶ ହାର ଧିମେଇବାରେ ଲାଗିଛି ବୋଲି ସଙ୍କେତ ମିଳୁଛି। ଔଦ୍ୟୋଗିତ ଉତ୍ପାଦନ ଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଧିମା ହେବାରେ ଲାଗିଛି ବୋଲି ଜଣାପଡିଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ୍‌ ସେଲ୍‌ର ଡାଟା ଅନୁଯାୟୀ ମେ’ରେ ଦେଶର ତୈଳ ଚାହିଦା ୧୮.୬୧ ମିଲିୟନ ଟନ୍‌ ଥିଲା। ମାର୍ଚ୍ଚରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସରେ ଦେଶର ବିକାଶ ହାର ୫.୮% ରହିଛି, ଯାହା କି, ଗତ ୪ ବର୍ଷ ମଧ୍ୟରେ ସର୍ବନିମ୍ନ। ଅଟୋମୋବାଇଲ ବିକ୍ରି, ରେଳ ପରିବହନ ଏବଂ ଘରୋଇ ବିମାନ ଯାତ୍ରା ହ୍ରାସ ପାଇବାରୁ ଏହା ସ୍ପଷ୍ଟ ଯେ,ଦେଶର ଚାହିଦା କମିବାରେ ଲାଗିଛି। ସରକାରଙ୍କ ପକ୍ଷରୁ ମେ’ର ଔଦ୍ୟୋଗିକ ଉତ୍ପାଦନ ଡାଟା ଅଦ୍ୟାବଧି ଜାରି କରାଯାଇ ନାହିଁ। ତେବେ ମେ’ରେ ପେଟ୍ରୋଲ ବିକ୍ରି ୧୧.୩୨% ବୃଦ୍ଧି ପାଇ ୨.୭୩ ମିଲିୟନ ଟନ୍‌ରେ ପହଞ୍ଚତ୍ଥିବା ବେଳେ ଡିଜେଲ ବିକ୍ରି ୨.୮୪% ବଢ଼ି ୭.୭୮ ମିଲିୟନ ଟନ୍‌ ରହିଛି। ପେଟ୍ରୋଲ ଓ ଡିଜେଲ ମଧ୍ୟରେ ଦର କମିବା କାରଣରୁ ଅଧିକାଂଶ ବ୍ୟକ୍ତିବିଶେଷ ଏବେ ପେଟ୍ରୋଲ ଗାଡ଼ି କିଣିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ସେହିପରି ରୋଷେଇ ଗ୍ୟାସ୍‌ ଚାହିଦା ଏହି ସମୟରେ ସାମାନ୍ୟ ବୃଦ୍ଧି ପାଇ ୨.୦୬ ମିଲିୟନ ଟନ୍‌ ରହିଛି।

Share