Categories: ରାଜ୍ୟ

କମୁଛି ସବୁ ନଦୀ ଜଳସ୍ତର, ଆଜି ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ଼ ବନ୍ୟାର ଭୟ ଟଳିଯାଇଛି। ମହାନଦୀ ସମେତ ପ୍ରାୟ ସମସ୍ତ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ଡେପୁଟି ଏସ୍‌ଆର୍‌ସି ପ୍ରଭାତ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳ ଧାରଣା କ୍ଷମତା ବୃଦ୍ଧି ପାଇଥିଲା। ଫଳରେ ପର୍ଯ୍ୟାୟକ୍ରମେ ହୀରାକୁଦର ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଅନ୍ୟପକ୍ଷରେ ବିଭିନ୍ନ ଆଡୁ ବର୍ଷାପାଣି ମହାନଦୀକୁ ପ୍ରବେଶ କରିଥିଲା। ଫଳରେ ମହାନଦୀ ସମେତ ଅନ୍ୟ କେତେକ ନଦୀରେ ବନ୍ୟା ଆସିଥିଲା। ବର୍ତ୍ତମାନ ହୀରାକୁଦରେ ୫ ଗେଟ୍‌ ଖୋଲା ରହିଛି। ସ୍ଥିତିକୁ ଲକ୍ଷ୍ୟ କରି ସେସବୁକୁ ମଧ୍ୟ ବନ୍ଦ କରାଯିବ ବୋଲି ମହାପାତ୍ର କହିଛନ୍ତି।

ମିଳିଥିବା ସୂଚନାନୁସାରେ, ବନ୍ୟା ପାଣିରେ ବୁଡିଥିବା ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲାର କେତେକ ତଳିଆ ଅଞ୍ଚଳରୁ ପାଣି ଖସିବାରେ ଲାଗିଛି। ପୁରୀରେ ୪୦, ଖୋର୍ଦ୍ଧାରେ ୪୮, କଟକରେ ୫୫୦ ଲୋକଙ୍କୁ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ଅଧିକ ପ୍ରଭାବିତ ବଲାଙ୍ଗୀର ଜିଲାର ୫୬ କ୍ୟାମ୍ପରେ ୧୯ହଜାର ଲୋକ, ସୁବର୍ଣ୍ଣପୁର ଜିଲାର ୨୪ କ୍ୟାମ୍ପରେ ୩ ହଜାର ୯୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଆସନ୍ତା ସାତ ଦିନ ଭିତରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ହେଲେ ମଧ୍ୟ ତାହା ଏତେ ବିପଦଜନକ ହେବନି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ରବିବାର କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ସମ୍ବଲପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ରବିବାର ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ବଲାଙ୍ଗୀର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳରେ ଝଡ଼ତୋଫାନ ହେବା ସହ ବଜ୍ରପାତ ଆଶଙ୍କା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।