କମୁନାହିଁ ଦନ୍ତା ଉତ୍ପାତ, ପୁଣି ଘର ଭାଙ୍ଗିଲା

ପରଜଙ୍ଗ, ୨୦।୮(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ମାତିଥିବା ଦନ୍ତା ଉତ୍ପାତ କମୁନାହିଁ। ସୋମବାର ଡମୋଳ ଗ୍ରାମରେ ଦନ୍ତା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାବେଳେ ବନ କର୍ମଚାରୀ ଉପସ୍ଥିତ ଥିଲେ। ଏହାସତ୍ତ୍ୱେ ବିଳମ୍ବିତ ରାତିରେ ହାତୀ ଗ୍ରାମରେ ପଶି ତାଣ୍ଡବ ସୃଷ୍ଟି କରିଛି।

ସୁଷମା ନାୟକ ଏବଂ ଅଖିଳ ବେହେରାଙ୍କ ଘର ହାତୀ ଭାଙ୍ଗି ଦେଇଛି। ମହିଳା ଜଣକ ପ୍ରାଣ ବିକଳରେ ଘରୁ ପଦାକୁ ପଳାଇ ଆସିଥିଲେ। ଏହି ସମୟରେ ହାତୀ ସହ ତାଙ୍କର ମୁହଁାମୁହିଁ ହୋଇଥିଲା। ତେବେ ସୌଭାଗ୍ୟକ୍ରମେ ସେ ଏଥିରୁ ବର୍ତ୍ତିଯାଇଛନ୍ତି। ମଙ୍ଗଳବାର ଅପରାହ୍ନରେ ହାତୀପଲ ଡମୋଳ ଝରାସାହି, ଭଳିଆତଇଲା ଅଞ୍ଚଳର ଚାଷଜମିରେ ପଶି ଫସଲ ନଷ୍ଟ କରିଥିବା ଫରେଷ୍ଟର ରାମଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି। ଅନ୍ୟ ସେକ୍ସନରୁ କର୍ମଚାରୀ ଡକାଯାଇ ହାତୀ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ରେଞ୍ଜର ହରମୋହନ ନାୟକ ସୂଚନା ଦେଇଛନ୍ତି।

Share