Categories: ଜାତୀୟ

କମୁନି ଅନ୍ନଦାତାଙ୍କ ଋଣବୋଝ: ଦୋହଲି ଯାଇଛି ଆର୍ଥିକ ମେରୁଦଣ୍ଡ

ନୂଆଦିଲ୍ଲୀ,୨୩।୧୨: ସୋମବାର ଦେଶରେ ପାଳିତ ହେଉଛି କିଷାନ ଦିବସ। ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମତିଥିରେ ଏହା ପାଳିତ ହୋଇଆସୁଛି। ଚୌଧୁରୀ ଚରଣ ସିଂ ୧୯୦୨ ଡିସେମ୍ବର ୨୩ରେ ଉତ୍ତରପ୍ରଦେଶ ନୁର୍‌ପୁରଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୭ ମେ ୨୯ରେ ନୂଆଦିଲ୍ଲୀଠାରେ ଦେହତ୍ୟାଗ କରିଥିଲେ। ଦେଶରେ ଚାଷୀଙ୍କ ବିକାଶ ପାଇଁ ତାଙ୍କ ଜନ୍ମ ଦିନରେ ବିଭିନ୍ନ ଯୋଜନା ପ୍ରଣୟନର ସୁପରିଚାଳନା ସମ୍ପର୍କରେ ସରକାର ଚିନ୍ତା କରିଥାନ୍ତି। କିନ୍ତୁ ଦେଶର ଶହେ ୩୦କୋଟିରୁ ଅଧିକ ଜନସଂଖ୍ୟାକୁ ଖାଦ୍ୟ ଯୋଗାଉଥିବା ଅନ୍ନଦାତାଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ସେମାନଙ୍କର ଋଣବୋଝ ହଟାଇବା ସରକାରୀ ଯୋଜନା ସକ୍ଷମ ହୋଇପାରୁନି। ରାଜନୈତିକ ପଶାପାଲିଲେ କୃଷକମାନେ ଉପେକ୍ଷିତ ହେଉଥିବା କୁହାଯାଉଛି। ସମ୍ପ୍ରତି ମଧ୍ୟପ୍ରଦେଶ, ରାଜସ୍ଥାନ ତଥା ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ହେବା ପରେ କୃଷକଙ୍କ ଋଣଛାଡ଼ ଘୋଷଣା କରାଯାଇଛି। ସେହିଭଳି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, କର୍ନାଟକ, ଆସାମରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ଏବେ ଦେଶର ବୁଦ୍ଧିଜୀବୀମାନେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି। ୨୦୧୪ରେ ଆନ୍ଧ୍ରପ୍ରଦେଶରେ ୨୪ ହଜାର କୋଟି ଏବଂ ତେଲେଙ୍ଗାନାରେ ୧୭ ହଜାର କୋଟି ଟଙ୍କା ଋଣ ଛାଡ଼ କରାଯାଇଥିବାବେଳେ ୨୦୧୬ରେ ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଞ୍ଜାବରେ ଯଥାକ୍ରମେ ୬ ହଜାର, ୩୪ ହଜାର, ୩୬ ହଜାର ଏବଂ ୧୦ ହଜାର କୋଟି ଟଙ୍କାର କୃଷି ଋଣଛାଡ଼ କରାଯାଇଥିଲା। ସେହିପରି ୨୦୧୮ରେ ରାଜସ୍ଥାନରେ ୮ ହଜାର କୋଟି ତଥା ରାଜସ୍ଥାନରେ ୩୨ ହଜାର କୋଟି ଟଙ୍କାର ଋଣଛାଡ଼ କରାଯାଇଛି। ସମ୍ପ୍ରତି କୃଷକମାନେ ୮.୯ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର କୃଷି ଋଣ ନେଇଥିବାବେଳେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ଅନ୍ୟ ଋଣ ନେଇଛନ୍ତି। ୨୦୦୮ରେ କେନ୍ଦ୍ର ସରକାର ୩.୭ ଛୋଟ ଚାଷୀ ତଥା ୬୦ ଲକ୍ଷ ଅନ୍ୟ ଚାଷୀଙ୍କ ଋଣ ଛାଡ଼ କରିଥିଲେ। ଏବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାର ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ ଘୋଷଣା କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ କେତେକ ନୂଆ ଯୋଜନା ଆରମ୍ଭ କରାଯାଇଛି। ଅନ୍ନଦାତାଙ୍କ ବିକାଶ ହେଲେ ହିଁ ଦେଶର ଆର୍ଥିକ ଅଭିବୃଦ୍ଧି ହାର ସମ୍ଭବ ହୋଇପାରିବ ବୋଲି ସରକାର ଜାଣିଥିଲେ ମଧ୍ୟ ଏନେଇ ବିଭିନ୍ନ ରାଜ୍ୟ ସରକାର ତଥା କେନ୍ଦ୍ର ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା କୁହାଯାଉଛି।

Share