ନୂଆଦିଲ୍ଲୀ,୬।୧୧- ୨୦୧୪ରେ ଅନ୍ତର୍ଜାତୀୟ ଟେଷ୍ଟରୁ ସନ୍ନ୍ୟାସ ନେଇସାରିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନୂଆ କ୍ୟାରିୟରର ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କୁ ନିକଟ ଭବିଷ୍ୟତରେ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିପାରେ। ଚଳିତ ମାସରେ କୋଲକାତାର ଇଡେନ ଗାଡେନ୍ସଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଭାଷ୍ୟକାରିତା କରିପାରନ୍ତି। ପ୍ରସାରଣକାରୀ ଚ୍ୟାନେଲ ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ପ୍ରସ୍ତାବ ଦେଇଛି। କିନ୍ତୁ ଏଥିରେ ବିସିସିଆଇର ମୋହର ବାଜିବା ବାକି ଅଛି। ପ୍ରସାରଣକାରୀ ଚ୍ୟାନେଲ ଧୋନୀଙ୍କୁ କମେଣ୍ଟ୍ରି ପାଇଁ ପ୍ରସ୍ତାବ ଦେଇଥିବା ସୂଚନାରେ ସତ୍ୟତା ରହିଛି। କିନ୍ତୁ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇ ନାହିଁ। ଯଦି ବିସିସିଆଇ ଅନୁମତି ଦିଏ, ତେବେ ଦେଶର ସବୁଠୁ ସଫଳତମ ଅଧିନାୟକଙ୍କୁ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ବଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଗତ ଅକ୍ଟୋବର ୨୯ ତାରିଖରେ ବିସିସିଆଇର ଦିବାରାତ୍ର ଟେଷ୍ଟ ଖେଳିବାକୁ ରାଜି ହୋଇଥିଲା। ବର୍ତ୍ତମାନ ଭାରତ ଓ ବାଂଲାଦେଶ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳୁଛି। ଭ୍ରମଣକାରୀ ଦଳ ପ୍ରଥମ ମ୍ୟାଚ୍ ଜିତି ସିରିଜ୍ରେ ୧-୦ ବ୍ୟବଧାନରେ ଆଗୁଆ ରହିଛି। ଉଲ୍ଲେଖଥାଉ କି, ଆଇସିସି ବିଶ୍ୱକପ୍ର ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ପରାଜୟ ପରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି। ସେବେଠାରୁ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ନେଇ ଅନିଶ୍ଚିତତା ଲାଗି ରହିଛି। ଏ ସମ୍ପର୍କରେ ସେ ନିଜ ଆଡ଼ୁ କିଛି କହି ନାହାନ୍ତି।