Categories: ବାଣିଜ୍ୟ

କମ୍ପାନୀଙ୍କ କୋଭିଡ୍‌ ଖର୍ଚ୍ଚ: ପିଏମ୍‌ କେୟାର୍ସ ପାଣ୍ଠିକୁ ସିଂହଭାଗ

ନୂଆଦିଲ୍ଲୀ,୧୧।୬: ଦେଶର ଶିଳ୍ପ ଜଗତ ପକ୍ଷରୁ କରୋନା ପାଇଁ ପ୍ରାୟ ଖର୍ଚ୍ଚ କରିବାକୁ ଥିବା ମୋଟ ଅର୍ଥ ମଧ୍ୟରୁ ସିଂହଭାଗ ପିଏମ୍‌ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଇଛି। ରେଟିଂ ଏଜେନ୍ସି କ୍ରିସିଲ ପକ୍ଷରୁ ୧୩୦ ପ୍ରମୁଖ କମ୍ପାନୀଗୁଡିକର ସାମାଜିକ କ୍ଷେତ୍ର ଖର୍ଚ୍ଚକୁ ତର୍ଜମା କରାଯିବା ପରେ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ, ୮୪ ପ୍ରମୁଖ କମ୍ପାନୀ ସାମାଜିକ ଦାୟିତ୍ୱବୋଧ ଖର୍ଚ୍ଚ ବାବଦ ୭୫୩୭ କୋଟି ଟଙ୍କା ଖର୍ଚ୍ଚ ନେଇ ଘୋଷଣା କରିଛନ୍ତି। ଘୋଷଣା ହୋଇଥିବା ମୋଟ ଅର୍ଥର ଅର୍ଦ୍ଧାଧିକ ବା ପ୍ରକୃତ ପକ୍ଷେ ୪,୩୧୬ କୋଟି ଟଙ୍କା ପିଏମ୍‌ କେୟାର୍ସ ପାଣ୍ଠିକୁ ଦିଆଯାଇଛି। କମ୍ପାନୀଗୁଡିକ ଅନ୍ୟ ରିଲିଫ କାର୍ଯ୍ୟକ୍ରମରେ ୩୨୨୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅର୍ଥାତ୍‌ ନିଜ ସ୍ତରରେ ଯେତିକି ଅର୍ଥ କମ୍ପାନୀ ଖର୍ଚ୍ଚ କରୁଛନ୍ତି ତା’ଠାରୁ ଅଧିକ ଅର୍ଥ ପିଏମ୍‌ କେୟାର୍ସ ପାଣ୍ଠିକୁ ଦାନ ଦେଇଛନ୍ତି। ସେହିଭଳି ଗତ ମାସରେ ସରକାର ପିଏମ୍‌ କେୟାର୍ସ ପାଣ୍ଠିରୁ ୩,୧୦୦ କୋଟି ଟଙ୍କା ବିଭିନ୍ନ କାର୍ଯ୍ୟ ଲାଗି ଆବଣ୍ଟନ କରିଛନ୍ତି। ଭେଣ୍ଟିଲେଟର କିଣା ପାଇଁ ୨ ହଜାର କୋଟି, ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା ଲାଗି ୧୦୦୦ କୋଟି ଏବଂ ଭ୍ୟାକ୍ସିନ ବିକାଶ ଲାଗି ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି।

Share