କମ୍ପାନୀରୁ ଚୋରି, ୨ କର୍ମଚାରୀ ଗିରଫ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଖାରବେଳ ନଗର ଥାନା ଏକ ଘରୋଇ କମ୍ପାନୀରୁ ଲୁହା ଓ ଆଲୁମିନିୟମ ଚ୍ୟାନେଲ ଚୋରି କରୁଥିବାବେଳେ ୨ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମୟୂରଭଞ୍ଜ ଜିଲା ରାୟଘର ଅଞ୍ଚଳର ସୁଶାନ୍ତ କୁମାର ବେହେରା ଓ ଭଦ୍ରକ ଧାମନଗର ଅଞ୍ଚଳର ତୁଷାର ରଞ୍ଜନ ଦାସ। ସୂଚନା ମୁତାବକ, ୟୁନିଟ-୩ ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନୀରେ ସୁଶାନ୍ତ ଶ୍ରମିକ ଭାବେ ଓ ତୁଷାର ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି। କିଛିଦିନ ହେବ କମ୍ପାନୀରୁ ଆଲୁମିନିୟମ ଓ ଲୁହା ଚ୍ୟାନେଲ ଚୋରି ହେଉଥିବା ନେଇ ଅଭିଯୋଗ ଆସିବା ପରେ ସୁପରଭାଇଜର କଡା ନଜର ରଖୁଥିଲେ। ଶନିବାର ରାତି ପ୍ରାୟ ୮ଟାରେ ଦୁଇ ଅଭିଯୁକ୍ତ କୌଶଳକ୍ରମେ ୨ ଆଲୁମିନିୟମ ଓ ୨ ଲୁହା ଚ୍ୟାନେଲ ଚୋରିକରି ନେଉଥିଲେ। ମାତ୍ର ଚେକିଂରେ ସେମାନେ ଧରାପଡ଼ିବା ପରେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। କମ୍ପାନୀ ପରିଚାଳକ ଦୀପକ କୁମାର ପଣ୍ଡା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୯୯/୧୯ରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Share