କମ୍ପାନୀରେ ନିଯୁକ୍ତି ଦେବା ନାଁରେ ଠକେଇ: ପ୍ରତିବାଦରେ ଧାରଣା ଦେଲେ ଚାଷୀ

ସୋର, ୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ନଟାପଡ଼ାଠାରେ ଜଣେ ବ୍ୟକ୍ତି କମ୍ପାନୀ କରି ସେଥିରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ଚାଷୀମାନଙ୍କଠାରୁ ଜମି କିଣିଥିଲେ। ହେଲେ ସେ କମ୍ପାନୀ ନ କରି ପରବର୍ତ୍ତୀ ପର୍ଯ୍ୟାୟରେ ବିକ୍ରି କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଗ୍ରାମବାସୀ ତଥା ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ବସିଛନ୍ତି। ବୁଧବାର ଆରମ୍ଭ ହୋଇଥିବା ଧାରଣା ଗୁରୁବାର ଜାରି ରହିଛି।
୧୦ବର୍ଷ ତଳେ ଜଣେ ବ୍ୟକ୍ତି ଉତ୍କଳ ମେଟାଲିକ ଫୋରୁକ୍ରୋମ ଅଲୱେଜ କମ୍ପାନୀ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇ ସ୍ଥାନୀୟ ନଟାପଡ଼ା, ତିଳଦା, ବିଣାଗଡ଼ିଆ, ଶରଶଙ୍ଖ ଆଦି ଗ୍ରାମର ଚାଷୀମାନଙ୍କଠାରୁ ଜମି କ୍ରୟ କରିଥିଲେ। କମ୍ପାନୀ କରିବା ନଁାରେ ପାଖାପାଖି ୫୦ଏକର ଜମିକୁ ବାଡ଼ ଘେରି ଦେଇଥିଲେ। ପରେ ଶୀତଳଭଣ୍ଡାର ଓ ଅଟା ଫ୍ୟାକ୍ଟ୍ରି କରିବାକୁ କାମ ଆରମ୍ଭ କରିଥିଲେ। କେତେକ ଚାଷୀଙ୍କ ବେକାର ଯୁବକମାନଙ୍କୁ ନାମକୁମାତ୍ର ନିଯୁକ୍ତି ଦେଇଥିଲେ। ଦରମା ନ ମିଳିବାରୁ ନିଯୁକ୍ତି ପାଇଥିବା ଯୁବକମାନଙ୍କ ଛାଡ଼ି ପଳାଇ ଆସିଥିଲେ। ପରେ ଶୀତଳଭଣ୍ଡାରକୁ ବନ୍ଦ କରିଦେଇ ଏହି ଜମିକୁ ବିକ୍ରୟ କରିବାକୁ ଯୋଜନା କରିଥିଲେ। ଚୁକ୍ତି ଅନୁସାରେ ଜମି ହରାଇଥିବା ଚାଷୀମାନଙ୍କୁ କୌଣସି ନିଯୁକ୍ତି ନ ଦେଇ ଜମି ବିକ୍ରୟ କରିବା, କେତେକଙ୍କୁ ଦରମା ନ ଦେବା ପ୍ରତିବାଦରେ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆରମ୍ଭ ହୋଇଛି। ଏନେଇ ଚାଷୀମାନେ ଜିଲାପାଳ, ବିଭିନ୍ନ ଅଧିକାରୀଙ୍କଠାରେ ଅଭିଯୋଗ କରିବା ସହିତ ବିକ୍ରି କରିଥିବା ଜମିକୁ ଫେରସ୍ତ ଲାଗି ଦାବି କରିଛନ୍ତି। ସୋର ପୋଲିସ ପହଞ୍ଚତ୍ ବିକ୍ଷୋଭକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଧାରଣାରେ ସାମିଲ ହୋଇଥିବା ଚାଷୀମାନଙ୍କ ମଧ୍ୟରେ ନରେନ୍ଦ୍ର ଧଡ଼ା, ଦୁର୍ଗାଚରଣ ଜେନା, ବିଷ୍ଣୁ ମଳିକ, ଲମ୍ବୋଦର ସେଠୀ, ସନାତନ ମଳିକ, ଲକ୍ଷ୍ମଣ ମିଶ୍ର, ଭାସ୍କର ଦାସ, ରବୀନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରସନ୍ନ ଜେନା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ତେବେ ଚାଷୀମାନେ ସେମାନଙ୍କ ଜମିକୁ ଫେରସ୍ତ ନ କରିବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି।