କମ୍ପାନୀରେ ନିଯୁକ୍ତି ନାଁରେ ମହିଳାଙ୍କୁ ଠକେଇ

ସେମିଳିଗୁଡ଼ା,୪ା୧୨(ସ୍ବ.ପ୍ର.): କୋରାପୁଟ ଜିଲା ସେମିଳିଗୁଡ଼ା, ପଟ୍ଟାଙ୍ଗି ବ୍ଲକ ଓ ସୁନାବେଡ଼ା ମ୍ୟୁନିସପାଲିଟି ଅଞ୍ଚଳର ବହୁ ଯୁବତୀ, ମହିଳାଙ୍କୁ କମ୍ପାନୀରେ ନିଯୁକ୍ତି ଦେବା ନାଁରେ ଠକାଯାଇଥିବା ଅଭିଯୋଗ ହୋଇଛି। ଏହି ଠକେଇର ଶିକାର ହୋଇଥିବା ୩୦ରୁ ଊର୍ଦ୍ଧ୍ୱ ମହିଳା ସୁନାବେଡ଼ା ଥାନାରେ ଏତଲା ଦେଇଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି, ଏକ ନିର୍ଦ୍ଦିଷ୍ଟ କମ୍ପାନୀର ମୁଖ୍ୟ ବୋଲି ନିଜକୁ ଦର୍ଶାଇ ଜଣେ ବ୍ୟକ୍ତି ସେମିଳିଗୁଡ଼ାର ଏକ ହୋଟେଲରେ ଗତ ଅଗଷ୍ଟ ୨୮ରେ ମହିଳାଙ୍କୁ ନେଇ ବୈଠକ କରିଥିଲେ। ଉକ୍ତ କମ୍ପାନୀରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଉକ୍ତ ବ୍ୟକ୍ତି ଜଣକ ୩୦ରୁ ଅଧିକ ମହିଳାଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଆଦାୟ କରିନେଇଥିଲେ। ଆଧାର, ଭୋଟର କାର୍ଡ, ପାନ୍‌ କାର୍ଡ ଓ ବ୍ୟାଙ୍କ ପାଶ୍‌ବୁକ ମାଗିନେବା ସହ ସେମାନଙ୍କୁ ଗୋଟିଏ ପରିଚୟପତ୍ର ଦେଇ ବ୍ୟକ୍ତି ଜଣକ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରିଛନ୍ତି। ବିଭିନ୍ନ କାମ କରାଇ ମହିଳାଙ୍କୁ ୬ ମାସର ଦରମା ଦେଇ ନ ଥିବା ଏତଲାରେ ଦର୍ଶାଯାଇଛି। ଏତଲା ପରେ ମଧ୍ୟ ପୋଲିସ ପଦକ୍ଷେପ ନେଇ ନ ଥିବା ମହିଳାମାନେ କହିଛନ୍ତି। କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେଲେ ସେମାନେ ଉପର ମହଲକୁ ଯିବେ ବୋଲି କହିଛନ୍ତି। ଉକ୍ତ କମ୍ପାନୀରେ କାର୍ଯ୍ୟ କରୁଥିବା ମହାଦେଇ ଦୁରିଆ, ମନି ଖୋସଲା, ବାସନ୍ତୀ ହନ୍ତାଳ, ଲଳିତା ବାଙ୍କା, ସୁନିତା ମୁଠାଇ, ବାସନ୍ତୀ ଖରା, ଡାହନା ଖରା, ମାମିନା ତମାଲ, ସୁନିତା ପରାଜି, ମଞ୍ଜୁ ଖରା, ବିମଳା ଟାକ୍ରି, କବିତା ଟାକ୍ରି, ସୁଲୋଚନା ପୂଜାରୀ, ମୋତି ଦିଶାଇ, ବାସନ୍ତୀ ଗେମେଲଙ୍କ ସମେତ ୩୦ରୁ ଅଧିକମହିଳା ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Share