କମ୍ପାନୀର ଜବରଦଖଲରେ ଚାଷଜମି – ଶାଗମାଛ ଦରରେ ଜମି ନେଇ ଯାଉଛି କମ୍ପାନୀ

ଯୋଡ଼ା,୨୪।୬(ଡ଼ିଏନଏ)- ସାଧାରଣ ଲୋକଙ୍କ ଜମିକୁ ବିଭିନ୍ନ ଉପାୟରେ ଶାଗମାଛ ମୂଲ୍ୟରେ ଟାଟା କମ୍ପାନୀ କିପରି ନିଜ ଅଧୀନକୁ ନେଉଛି, ତାର ଆଉ ଏକ ଉଦାହରଣ ଏବେ ଲୋକଲୋଚନକୁ ଆସିଛି। କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ରହୁଥିବା ସୁରେଶ ପଲେଇ ତାଙ୍କ ପୈତୃକ ଜମିକୁ ଟାଟାଷ୍ଟିଲ କମ୍ପାନୀ ଜବରଦଖଲ କରି ଅକ୍ତିଆରେ ରଖିଥିବା ଅଭିଯୋଗ କରିଛନ୍ତି। ସୁରେଶ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ବାପା ସ୍ବର୍ଗତ ନୀଳାଦ୍ରି ପଲେଇ ଟାଟାଷ୍ଟିଲରେ ଚାକିରୀିକରି ୧୯୮୬ମସିହାରେ ଅବସର ନେଇଥିଲେ। ୨୦୦୯-୧୦ ମସିହାରେ ଟାଟାଷ୍ଟିଲ କମ୍ପାନୀ ତାଙ୍କ କମାରଯୋଡ଼ା ମୌଜାସ୍ଥିତ ଖାତା ନଂ. ୭୫, ପ୍ଲଟ ନଂ. ୮୮୦, ଏ୦.୭୯.୮ ଡିସିମାଲ ଜମିରେ ଏକ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଟାୱାର ନିର୍ମାଣ କରିଛି। ଯେଉଁ ଜମିରେ କି ତାଙ୍କ ବାପା ଚାଷ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ଉକ୍ତ ଜମିରେ କମ୍ପାନୀ ଟାଓ୍ବାର ନିର୍ମାଣ କରି କାରଖାନା ପାଇଁ ବିଦ୍ୟୁତ ସଂଯୋଗ କରିଛି। ଜମିର ପରିମାଣ ଏ୦.୭୯.୮ ଡିସିମାଲ ଥିଲେ ହେଁ ଟାୱାର ନିର୍ମାଣ କରାଯିବା ପରେ ଅବଶିଷ୍ଟ ଜମି କୌଣସି କାର୍ଯ୍ୟରେ ଲାଗିପାରୁ ନାହିଁ। କାରଣ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ଟାୱାର ଥିବାରୁ ସେଠାରେ ଚାଷ କାମ କିମ୍ବା ଅନ୍ୟ କୌଣସି ଘର ନିର୍ମାଣ କରାଯାଇପାରୁ ନାହିଁ। ଏହି ଟାୱାର ନିର୍ମାଣ ପାଇଁ ଜମି ନେବା ସମୟରେ ତାଙ୍କ ବାପା ଅଶିକ୍ଷିତ ଥିବାରୁ ଏକ ରସିଦରେ ଟିପଚିହ୍ନ ନେଇ ୩୦ହଜାର ଟଙ୍କା ଦେଇଥିଲେ। ଏପରି କି କିଛି ଦିନ ପରେ ଉକ୍ତ ବିଦ୍ୟୁତ ଟାୱାରକୁ ସ୍ଥାନାନ୍ତର କରାଯିବାକୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଟାଓ୍ବାର ସ୍ଥାନାନ୍ତର କରାଯାଇ ନାହିଁ କିମ୍ବା ଜମିର ଉଚିତ୍‌ କ୍ଷତିପୂରଣ ଦିଆଯାଉ ନ ଥିବା ସେ କହିଛନ୍ତି। ଏନେଇ ସେ ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲିଖିତଭାବେ ଜଣାଇ ଆସୁଥିଲେ ହେଁ କେହି ତାଙ୍କ ଗୁହାରି ଶୁଣୁ ନ ଥିବା ସୁରେଶ ଅଭିଯୋଗ କରିଛନ୍ତି। ୨୩।୦୩।୨୦୧୮ରେ ଯୋଡ଼ାସ୍ଥିତ କମ୍ପାନୀ କର୍ତ୍ତୃୃପକ୍ଷଙ୍କୁ ଲିଖିତଭାବେ ଜଣାଇବାରୁ କମ୍ପାନୀ ଅଧିକାରୀ ପ୍ରକାଶ କୁମାର ମହାପାତ୍ର, ଅନ୍ୟଜଣେ କମ୍ପାନୀ ଅଧିକାରୀ ଦେବାଶିଷ ଜେନାଙ୍କୁ ଏ ବିଷୟରେ ଜମି ମାଲିକଙ୍କ ସହିତ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେବା ସହ କମ୍ପାନୀ ପକ୍ଷରୁ ଉକ୍ତ ଜମିର ଚିହ୍ନଟ କରିବା ପାଇଁ କୁହାଯାଇଥିଲା। ଜମି ମାଲିକ ସୁରେଶ ବଡ଼ବିଲ ତହସିଲ କାର୍ଯ୍ୟାଳୟରେ ଜମି ଚିହ୍ନଟ ପାଇଁ ଆବେଦନ କରିବାରୁ ଏହାର ଚିହ୍ନଟ କରିବା ପାଇଁ ଯୋଡ଼ା ଆରଆଇ, ଅମିନ ଯାଇ ଉକ୍ତ ଜମିର ଚିହ୍ନଟ ପ୍ରକ୍ରିୟା କରି ଏହାର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ା ଏହି ଜମି ଚିହ୍ନଟର ସମସ୍ତ ତଥ୍ୟ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଦେବା ପରେ ମଧ୍ୟ କମ୍ପାନୀ ଏହାର କୌଣସି ସମାଧାନ କରି ନ ଥିବା ସେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଯୋଡ଼ା ଟାଟାଷ୍ଟିଲ ଅଧିକାରୀ ପ୍ରକାଶ ମହାପାତ୍ରଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଉକ୍ତ ଜମି ମାଲିକଙ୍କ ପରିବାରର ସଦସ୍ୟଙ୍କୁ କମ୍ପାନୀ ଚାକିରି ଦେଇଛି, ଜମିର କ୍ଷତିପୂରଣ ବାବଦକୁ ୩୦ହଜାର ଟଙ୍କା ମଧ୍ୟ ଦିଆଯାଇଛି। ବଡ଼ବିଲ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ କମ୍ପାନୀ ପାଖକୁ ଏହାର ସମାଧାନ କରିବା ପାଇଁ ଏକ ନୋଟିସ ମଧ୍ୟ ଆସିଛି ା ତେବେ ଏନେଇ ଖୁବଶୀଘ୍ର ଆଲୋଚନା କରାଯିବ ବୋଲି ମହାପାତ୍ର କହିଛନ୍ତି। ଅପରପକ୍ଷରେ ଜମି ମାଲିକ ସୁରେଶଙ୍କୁ ପରିବାରୁ ତାଙ୍କ ପଚାରିବାରୁ କୌଣସି ସଦସ୍ୟଙ୍କୁ କମ୍ପାନୀ ପକ୍ଷରୁ ଜମି ବାବଦକୁ ଚାକିରି ଦିଆଯାଇ ନାହିଁ କି ଜମିର ଉଚିତ କ୍ଷତିପୂରଣ ଦିଆଯାଇ ନାହିଁ। ବାପାଙ୍କ ଅଶିକ୍ଷିତର ସୁଯୋଗ ନେଇ କମ୍ପାନୀ କର୍ତ୍ତୃପକ୍ଷ ସାମାନ୍ୟ କିଛି ଟଙ୍କାଦେଇ ଏତେ ବଡ଼ ଜମିକୁ ହଡ଼ପ କରିଛନ୍ତି ବୋଲି ସୁରେଶ କହିଛନ୍ତି।