କମ୍ପାନୀ ଅଧିକାରୀଙ୍କ ପାଇଁ ନାକେଦମ ପ୍ରଶାସନ, ଆପାର୍ଟମେଣ୍ଟ ସିଲ୍‌

ଛତ୍ରପୁର,୨ା୪(ଡି.ଏନ.ଏ)- ବାହାର ରାଜ୍ୟରୁ ଫେରିି ନିଜ ତଥ୍ୟ ଲୁଚାଇଥିବା ଏକ ଘରୋଇ କମ୍ପାନୀର ଜଣେ ଅଧିକାରୀଙ୍କ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ନାକେଦମ ହୋଇଛି। ସମ୍ପୃକ୍ତ ଅଧିକାରୀଙ୍କୁ ଆଇସୋଲେଶନ ସେଣ୍ଟରରେ ରଖାଯାଇଛି। ସେ ରହୁଥିବା ଆପାର୍ଟମେଣ୍ଟକୁ ସିଲ କରାଯାଇଛି। ଆପାର୍ଟମେଣ୍ଟର ସମସ୍ତ ଲୋକ ହୋମ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି।
ବାହାର ରାଜ୍ୟରୁ ଫେରି ଘରୋଇ କମ୍ପାନୀର ଅଧିକାରୀ ଜଣକ ଛତ୍ରପୁର ଉପକଣ୍ଠ କଣମଣା ପଞ୍ଚାୟତ ପୁରୁଣା ଛତ୍ରପୁରସ୍ଥିତ ଆପାର୍ଟମେଣ୍ଟକୁ ଫେରିଥିବା ବୁଧବାର ରାତିରେ ପ୍ରଶାସନକୁ ସୂଚନା ମିଳିଥିଲା। ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏସ୍‌ଡିପିଓ ଗୌତମ କିଶାନ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ ପାଣିଗ୍ରାହୀ ପ୍ରମୁଖ ସ୍ବାସ୍ଥ୍ୟ ଟିମ୍‌ ଓ ଆମ୍ବୁଲାନ୍ସ ନେଇ ରାତିରେ ସେଠାକୁ ଯାଇଥିଲେ। ଜନସ୍ବାସ୍ଥ୍ୟ ଅଧିକାରୀ ଆପାର୍ଟମେଣ୍ଟରେ ପ୍ରବେଶ କରି ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ସହ ଆଉ ୨ ଜଣ ରହୁଥିବା ଫ୍ଲାଟ୍‌କୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ। ପରେ ଉକ୍ତ ୩ ଜଣଙ୍କୁ ଆମ୍ବୁଲାନରେ ବ୍ରହ୍ମପୁର ନିଆଯାଇଥିଲା । ବିଳମ୍ବିତ ରାତିରେ ସ୍ବାବ ସଂଗ୍ରହ କରାଯାଇ ଭୁବନେଶ୍ୱରକୁ ପରୀକ୍ଷା ପାଇଁ ପଠାଯାଇଥିଲା। ପରେ ସମ୍ପୃକ୍ତ ଅଧିକାରୀଙ୍କୁ ବ୍ରହ୍ମପୁରର ଏକ ଆଇସୋଲେଶନ ସେଣ୍ଟରରେ ରଖାଯାଇଛି। ଅନ୍ୟ ୨ ଜଣଙ୍କୁ ଆପାର୍ଟମେଣ୍ଟକୁ ଫେରାଇ ଅଣାଯାଇଛି।ଉକ୍ତ ଆପାର୍ଟମେଣ୍ଟରେ ୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ରହୁଥିବା ବେଳେ ସମସ୍ତେ ଏବେ ହୋମ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଅନ୍ୟପକ୍ଷରେ ଆପାର୍ଟମେଣ୍ଟକୁ ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଛି। ଗୁରୁବାର ସ୍ବାସ୍ଥ୍ୟଟିମ୍‌ ସେଠାକୁ ଯାଇ ମନିଟରିଂ କରଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଘରୋଇ କମ୍ପାନୀର ଅଧିକାରୀ ଜଣଙ୍କ ରାଜସ୍ଥାନରୁ ଦିଲ୍ଲୀ ଏବଂ ପରେ ଭୁବନେଶ୍ୱରକୁ ଫ୍ଲାଇଟ୍‌ ଯୋଗେ ଆସଥିଲେ। ଭୁବନେଶ୍ୱରରୁ ସରକାରୀ ବସ୍‌ରେ ମାର୍ଚ୍ଚ ୧୫ ତାରିଖରେ ଛତ୍ରପୁରକୁ ଫେରିଥିଲେ।

Share