Categories: ଖେଳ

କମ୍ବାଲା ଦୌଡ଼ରେ ଶ୍ରୀନିବାସଙ୍କ ରେକର୍ଡ ଭାଙ୍ଗିଲା

ବାଙ୍ଗାଲୋର,୧୮।୨- ପାରମ୍ପରିକ ଷଣ୍ଢ ଦୌଡ଼ କମ୍ବାଲାରେ ଶ୍ରୀନିବାସ ଗୌଡ଼ାଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ଆଉ ଜଣେ ଧାବକ। ତାଙ୍କ ନାମ ହେଲା ନିଶାନ୍ତ ଶେଟ୍ଟି। ସେ ୧୪୩ ମିଟର ବିଶିଷ୍ଟ ଦୌଡ଼କୁ ୧୩.୬୮ ସେକେଣ୍ଡରେ ଶେଷ କରିଛନ୍ତି। ଏହାକୁ ଗଣନା କରାଗଲେ ୧୦୦ ମି. ଦୌଡ଼ିବା ପାଇଁ ତାଙ୍କୁ ୯.୫୧ ସେ. ଲାଗିଛି। ଏଥିସହ ସେ କମ୍ବାଲାରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ନିକଟରେ ଶ୍ରୀନିବାସ ୧୦୦ ମି. ରେସ୍‌ରେ ୯.୫୫ ସେ. ଟାଇମିଂ ହାସଲ କରି ରାତାରାତି ସେନସେଶନ ପାଲଟି ଯାଇଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରି ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ମଧ୍ୟ କମ୍ବାଲା ଧାବକ ଗୌଡ଼ାଙ୍କ ସମ୍ପର୍କରେ ଟୁଇଟ୍‌ କରି ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରରେ ଟ୍ରେନିଂ ନେବାକୁ କହିଥିଲେ। କିନ୍ତୁ ରେସିଂ ଟ୍ରାକରେ ଦୌଡ଼ିବାର ଅଭିଜ୍ଞତାର ଅଭାବରୁ ଗୌଡ଼ା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ନିଶାନ୍ତଙ୍କ ଟାଇମିଂ ଗୋଡ଼ାଙ୍କଠାରୁ ଆହୁରି ଭଲ। ଏବେ ନିଶାନ୍ତଙ୍କୁ ମଧ୍ୟ ସାଇ କେନ୍ଦ୍ରରେ ଟ୍ରେନିଂ କରିବାକୁ ସୁଯୋଗ ମିଳିବ କି ନାହିଁ, ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share