କମ୍‌ ଦରରେ ସାମଗ୍ରୀ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲା: ପୋଲିସ ସିଲ୍‌ କାଟି ସାମଗ୍ରୀ ନେଲାବେଳେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ବାସୁଦେବପୁର,୨୮।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବଜାରରେ ଦୁର୍ଗା ଏଜେନ୍ସି ନାମରେ ଏକ ସଂସ୍ଥା ଦୋକାନ ଖୋଲିଥିଲା। ସମ୍ପୃକ୍ତ ଦୋକାନୀ ଲୋକଙ୍କୁ ଲୋଭ ଦେଖାଇ ସାମଗ୍ରୀ ଦେବା ଆଳରେ ପ୍ରାୟ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ କରି ରାତାରାତି ଫେରାର ହୋଇଯାଇଥିଲା। ପୋଲିସ ଉକ୍ତ ଦୋକାନକୁ ସିଲ୍‌ କରିଥିଲା। ଏହାର ସପ୍ତାହକ ପରେ ଅର୍ଥାତ୍‌ ଶନିବାର ପ୍ରଶାସନ ଉପସ୍ଥିତିରେ ପୋଲିସ ଉକ୍ତ ଦୋକାନର ତାଲା କାଟି ସାମଗ୍ରୀ ଜବତ କରୁଥିବା ବେଳେ ଶତାଧିକ ଲୋକ ଏହାକୁ ବିରୋଧ କରିଛନ୍ତି। ଠକାମିର ଶିକାର ହୋଇଥିବା ଗ୍ରାହକ ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି। ପୋଲିସ ଓ ଉତ୍ତ୍ୟକ୍ତ ଗ୍ରାହକ ପରସ୍ପର ମଧ୍ୟରେ ଠେଲାପେଲା ହେଉଥିବା ଦେଖିବାକୁ ମିଳିଛି। ସଂସ୍ଥାର ମାଲିକଙ୍କୁ ପୋଲିସ ଗିରଫ ନ କରି କାହିଁକି ଅଟକ ସାମଗ୍ରୀ ନେଉଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ବିଡିଓ ପ୍ରଣବ କୁମାର ବେହେରା, ଆଇଆଇସି ମଧୁମିତା ମହାନ୍ତିଙ୍କ ସମେତ ୨ ପ୍ଲାଟୁନ୍‌ ପୋଲିସ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ଲୋକଙ୍କ ବିରୋଧ ଯୋଗୁ ପୋଲିସ ଦୋକାନରୁ କୌଣସି ସାମଗ୍ରୀ ନେବାରେ ସଫଳ ହୋଇ ପାରୁନାହିଁ।