କମ୍‌ ଦରରେ ସାମଗ୍ରୀ ଦେବା ଆଳରେ ୨ କୋଟିରୁ ଊର୍ଦ୍ଧ୍ୱ ଠକେଇ: ରାତାରାତି ଦୋକାନୀ ଫେରାର

ବାସୁଦେବପୁର,୨୧।୧୨: ଭଦ୍ରକ ଜିଲା ବାସୁଦେବପୁର ବଜାର ନିକଟସ୍ଥ ବ୍ଲକ ରୋଡ୍‌ରେ ଗତ ଏକ ମାସ ତଳେ ଦୁର୍ଗା ଏଜେନ୍ସି ନାମରେ ଏକ ସଂସ୍ଥା ଦୋକାନ ଖୋଲିଥିଲା। ତେବେ ଉକ୍ତ ଦୋକାନୀ ଲୋକଙ୍କୁ ସାମଗ୍ରୀ ଦେବା ଆଳରେ ପ୍ରାୟ ୨ କୋଟି ଟଙ୍କା ଠକେଇ କରି ରାତାରାତି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଉକ୍ତ ଦୋକାନୀ ଫେରାର ହେବା ପରେ ଶନିବାର ସାମଗ୍ରୀ ନେବାକୁ ଆଗୁଆ ଟଙ୍କା ଦେଇଥିବା ଏକ ହଜାରୁ ଊର୍ଦ୍ଧ୍ୱ ଗ୍ରାହକ ଦୋକାନ ଆଗରେ ହୋହଲ୍ଲା କରିବା ଫଳରେ ବାସୁଦେବପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରି ଉକ୍ତ ଦୋକାନକୁ ସିଲ୍‌ କରିଛି।
ପ୍ରକାଶ ଯେ, ଉକ୍ତ ସଂସ୍ଥା ଚଳିତ ବର୍ଷ ନଭେମ୍ବର ମାସରେ ଦୋକାନ ଖୋଲି କମ୍‌ ଦର ଓ କିସ୍ତିରେ ଗ୍ରାହକଙ୍କୁ ବିଭିନ୍ନ ସାମଗ୍ରୀ ଦେବାକୁ କହି ଏହି ଠକେଇ କରିଛି। ସଂସ୍ଥାର ମାଲିକ ରାଜ୍ୟ ବାହାରେ ରହୁଥିବା ଜଣାପଡ଼ି ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।