Advertisement

କମ୍‌ ପିଲା ଯୋଗୁ ବନ୍ଦ ହେଲା ୪ ସ୍କୁଲ

ବନ୍ତ, ୪।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକରେ ପିଲା ସଂଖ୍ୟା କମ୍‌ ଯୋଗୁ ୨ ବର୍ଷ ମଧ୍ୟରେ ୪ ସ୍କୁଲ ବନ୍ଦ ହୋଇଯାଇଛି। ଅଭିଭାବକମାନେ ସରକାରୀ ସ୍କୁଲ ଅପେକ୍ଷା ଘରୋଇ ସ୍କୁଲରେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସରକାରୀ ସ୍କୁଲରେ ପିଲା ସଂଖ୍ୟା କମ୍‌ ରହିବାର ଏହା ମୁଖ୍ୟ କାରଣ। ସମସ୍ତଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ବଶିକ୍ଷା ଅଭିଯାନ କରାଯାଇଛି। ଏ ନେଇ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟବରାଦ କରିଚାଲିଛନ୍ତି। ମାତ୍ର ଗ୍ରାମାଞ୍ଚଳରେ ଏବେ ଘରୋଇ ବିଦ୍ୟାଳୟଗୁଡ଼ିକ ଛତୁ ଫୁଟିବା ପରି ଗଢ଼ି ଉଠିଥିତ୍ବାରୁ ସରକାରୀ ସ୍କୁଲ ଉଠିଯିବା ଭଳି ପରସ୍ଥିତି ସୃଷ୍ଟି ହୋଇଛି। ଏ ଦିଗରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ବଦଳରେ ପରୋକ୍ଷରେ ଘରୋଇ ସ୍କୁଲ ପ୍ରତି ଆନ୍ତରିକତା ବଢ଼ି ଚାଲିଥିବା କୁହାଯାଉଛି। ଘରୋଇ ସ୍କୁଲ ପ୍ରତିଷ୍ଠା ଲାଗି ଅନୁମତି ଦିଆଯାଉ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି।
ଉଲ୍ଲେଖନୀୟ ଯେ, ଗତ ଶିକ୍ଷାବର୍ଷରେ କମ୍‌ ପିଲା ଥିବାରୁ ପୁରୁଷଣ୍ଢ ପଞ୍ଚାୟତ ତୋଫାବିବି କ୍ଲଷ୍ଟର ଅଧୀନ ଜଗନ୍ନାଥ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ ଛୟାଳସିଂ ପଞ୍ଚାୟତ ଖଗେଶ୍ୱର ମଇ ବିଦ୍ୟାଳୟ କ୍ଲଷ୍ଟର ହାଟଡିହୀ ପ୍ରକଳ୍ପ ବିଦ୍ୟାଳୟ ବନ୍ଦ କରି ଦିଆଯାଇଛି। ସେହିପରି ଚଳିତ ଶିକ୍ଷାବର୍ଷରେ ଷେଣ୍ଢତୀରା ପଞ୍ଚାୟତ ହରିହର ନୋଡାଲ କ୍ଲଷ୍ଟର ଅଧୀନ ପରମାନନ୍ଦପୁର ପ୍ରକଳ୍ପ ପ୍ରାଥମିକ ଓ ବିଟିପୁର ପଞ୍ଚାୟତ ଗୋପୀନାଥଜୀଉ ନୋଡାଲ କ୍ଲଷ୍ଟର ହଳଦିପୁହାଣି ଆଦିବାସୀ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଛି। ପରମାନନ୍ଦପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ୫ଟି ଶ୍ରେଣୀରେ ମୋଟ ୮ ଜଣ ପିଲା ଥିବାବେଳେ ଦୁଇଜଣ ଶିକ୍ଷକ ପାଠ ପଢ଼ାଉଥିଲେ। ଏହି ସ୍କୁଲ ବନ୍ଦ ହୋଇଯିବା ପରେ ସମ୍ପୃକ୍ତ ପିଲାମାନଙ୍କୁ ସ୍ଥାନୀୟ ପଙ୍ଗୀରା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଜଣେ ଶିକ୍ଷକଙ୍କୁ ବାଇପୁର ଓ ଅନ୍ୟ ଜଣଙ୍କୁ ବେଗନା ସ୍କୁଲରେ ଅବସ୍ଥାପିତ କରାଯାଇଛି। ହଳଦିପୁହାଣି ସ୍କୁଲର ୫ଟି ଶ୍ରେଣୀରେ ୯ ପିଲା ଥିବାବେଳେ ଦୁଇଜଣ ଶିକ୍ଷକ ଥିଲେ। ସମ୍ପୃକ୍ତ ପିଲାମାନଙ୍କୁ କାଣ୍ଡବା ନୋଡାଲ ଉ.ପ୍ରା. ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଶିକ୍ଷକଦ୍ୱୟଙ୍କୁ ଶ୍ରୀରାମପୁର ଓ ଡଗରପଡ଼ା ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଛି। ବିଦ୍ୟାଳୟ ଗୃହଗୁଡ଼ିକୁ ସ୍ଥାନୀୟ ସରପଞ୍ଚଙ୍କୁ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କରେ ଗୋଷ୍ଠୀ ସାଧନ ସଂଯୋଜକ ରବିନାରାୟଣ ପରିଡ଼ାଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁଯାୟୀ ପିଲା କମ୍‌ ଥିବା ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଛି ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share