କମ୍‌ ବୃଷ୍ଟିପାତ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର, ୨୭।୭ (ସ୍ବ.ପ୍ର./ ଡି.ଏନ.ଏ.)- କୃଷିପ୍ରଧାନ କେନ୍ଦୁଝର ଜିଲାରେ ସ୍ବଳ୍ପ ବୃଷ୍ଟିପାତ ଖରିଫ ଚାଷ କାର୍ଯ୍ୟରେ ବାଧକ ସାଜିଛି। ଚାଷ ଉପଯୋଗୀ ବର୍ଷା ଅଭାବରୁ ଅନେକ ଅଞ୍ଚଳରେ ଜମି ପଡିଆ ପଡିଛି। ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନ ଥିବାରୁ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷୀ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି । ଏଥର ବର୍ଷା ହେବା ପରେ ଚାଷୀମାନେ କେତେକ ଅଞ୍ଚଳରେ ତଳି ପକାଇବା ସହ ରୁଆ କାମ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ବର୍ଷା ନ ହେବାରୁ ଚାଷ କାମ ଆଗେଇ ପାରିନାହିଁ। ସରକାରୀ ତଥ୍ୟ ଅନୁଯାୟୀ ଜୁନରେ ଜିଲାରେ ୨୪୧.୪ ମି.ମି. ବର୍ଷା ହେବା ସ୍ଥାନରେ ୧୪୩.୨୨ ମିମି ବର୍ଷା ହୋଇଛି। ସେହିପରି ଚଳିତ ମାସ ୨୫ ତାରିଖ ସୁଦ୍ଧା ୩୧୮ମି.ମି. ବର୍ଷା ହେବାକୁ ଥିବା ବେଳେ ମାତ୍ର ୧୭୫.୪୬ ମି.ମି. ବର୍ଷା ହୋଇଛି ା ଏଭଳି ଅବସ୍ଥାରେ ସମ୍ଭାବ୍ୟ ମରୁଡି ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ କୌଣସି ପଦକ୍ଷେପ ନେଇ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜଳସେଚନ ସୁବିଧା ଲାଗି ବନ୍ଧ, କେନାଲ ନିର୍ମାଣ, ମରାମତି ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କେନାଲ ଥିବା ଅଞ୍ଚଳର ତଳମୁଣ୍ଡରେ ପାଣି ପହଞ୍ଚୁ ନ ଥିବା ଅଭିଯୋଗ ହେଉଛି। କୃଷି ବିଭାଗ ପକ୍ଷରୁ ଫସଲ କ୍ଷୟକ୍ଷତି ସମ୍ପର୍କରେ ଠିକ ତଥ୍ୟ ଦିଆଯାଉ ନ ଥିବାରୁ ଚାଷୀମାନେ କୌଣସି ସହାୟତା ପାଇ ପାରୁ ନ ଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ ଲକ୍ଷ୍ମୀଧର ପ୍ରଧାନ ଅଭିଯୋଗ କରିଛନ୍ତି।
ଗୋଟିଏ ଦିଗରେ ବର୍ଷାଭାବ ଓ ଅନ୍ୟ ଦିଗରେ ଜଙ୍ଗଲ ତଳି ଇଲାକାରେ ହାତୀ ଉପଦ୍ରବ ଚାଷୀଙ୍କୁ ଅଥୟ କରିଛି। ଜିଲାର ଚମ୍ପୁଆ,ବାଂଶପାଳ,ହରିଚନ୍ଦନପୁର,ସଦର, ଘଟଗଁା, ତେଲକୋଇ ଓ ପାଟଣାଅଞ୍ଚଳରେ ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚିଛି। ଚାଷମାନେ ଜମିରେ ପକାଇଥିବା ଧାନତଳିକୁ ହାତୀପଲ ମାଡିମକଚି ନଷ୍ଟ କରୁଥିବା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି।
ମରୁଡି ଅଞ୍ଚଳ ଘୋଷଣା ଲାଗି ଦାବିପତ୍ର
ସ୍ବଳ୍ପ ବୃଷ୍ଟି ହେତୁ କେନ୍ଦୁଝର ଜିଲାକୁ ମରୁଡି ଅଞ୍ଚଳ ଘୋଷଣା କରାଯାଉ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଏହାର ପ୍ରତିକାର କରିବା ଏବଂ ଖଣିଖାଦାନରେ ଚାଷୀ ପରିବାରର ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ଏଥିରେ ଦାବି କରାଯାଇଛି। ସଂଗଠନର ଜିଲା ସଂଯୋଜକ ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ଇନ୍ଦ୍ରମଣି ବିଶ୍ୱାଳ,ଶ୍ୟାମସୁନ୍ଦର ମହାନ୍ତ,ସଂଗ୍ରାମ କିଶୋର ପ୍ରମୁଖ ଶୁକ୍ରବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।