କମ ଦରମା-ବିନା ପିପିଇରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ମନା କଲେ ନର୍ସିଂ ଷ୍ଟାଫ୍‌: ୧୦୦ରୁ ଅଧିକ ଦେଲେ ଇସ୍ତଫା

ଜୟପୁର,୨୭।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ରାଜସ୍ଥାନରେ ୧୦୦ରୁ ଅଧିକ ନର୍ସିଂ ଷ୍ଟାଫ୍‌ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ମନା କରି ଇସ୍ତଫା ଦେଇଛନ୍ତି। କମ ଦରମା ଏବଂ ବିନା ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ)ରେ ସେମାନେ କାମ କରିବାକୁ ଅମଙ୍ଗ ହୋଇଛନ୍ତି। ବଂର ସେମାନେ ବିନା ଦରମାରେ ଦେଶ ପାଇଁ କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। କରୋନା ସଂକ୍ରମିତଙ୍କ ଚିକିତ୍ସା କରିବା ଅତ୍ୟନ୍ତ ବିପଦ୍‌ଜନକ। ଏପରିସ୍ଥଳେ ବିନା ସୁରକ୍ଷାରେ ଚିକିତ୍ସା କରିବା କେବେ ମଧ୍ୟ ଉଚିତ୍‌ ନୁହେଁ। ନର୍ସିଂ ଷ୍ଟାଫ୍‌ଙ୍କର ଏଭଳି ସାମୁହିକ ଇସ୍ତଫା ଯୋଗୁ ରାଜ୍ୟ ସରକାର ଚିନ୍ତାରେ ପଡ଼ିଛନ୍ତି। ରାଜସ୍ଥାନରେ ସୋମବାର ସକାଳ ୯ଟା ସୁଦ୍ଧା ୩୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଜୟପୁରରେ ୯, ଝାଲଓ୍ବାଡ଼ାରେ ୯, ଯୋଧପୁର ୬, ଜୈସଲମରରେ ୧, ଭୀଲଓ୍ବାଡ଼ାରେ ୧, କୋଟା ଏବଂ ଟାଙ୍କରେ ୬ଜଣ ଲେଖାଏଁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଇତିମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୨୨୧ ରହିଥିବାବେଳେ ମୃତକଙ୍କ ସଂଖ୍ୟା ୪୪ ରହିଛି। ସୂଚନାଯୋଗ୍ୟ, ନିଜ ପରିବାରକୁ ପଛରେ ପକାଇ ଜୀବନକୁ ବାଜି ଲଗାଇ କରୋନା ଲଢ଼େଇରେ ଏହି କରୋନା ଯୋଦ୍ଧାମାନେ ସାମିଲ୍‌ ହୋଇଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନ ଥିବା କୁହାଯାଉଛି।

Share