କରଞ୍ଜିଆରେ ହାତୀ ଉପଦ୍ରବ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ଠାକୁରମୁଣ୍ଡା,୫ା୯(ଡ଼ି.ଏନ୍‌.ଏ.)- କରଞ୍ଜିଆ ଅଞ୍ଚଳରେ ହାତୀ ଆତଙ୍କ ଥମୁନାହିଁ। ଦୀର୍ଘ ଏକ ମାସ ହେଲା ଝାଡ଼ଖଣ୍ଡ ହାତୀ ଏହି ଅଞ୍ଚଳରେ ରହି ବିଭିନ୍ନ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ କରଞ୍ଜିଆଠାରୁ ୫ କି.ମି ଦୂର ଅନ୍ଧାରଝରି ଗ୍ରାମରେ ଏହି ହାତୀପଲ ପଶି ୬ ଜଣଙ୍କ ଘର ଭାଙ୍ଗି ଦେଇଛନ୍ତି। ବୁଧବାର ସକାଳେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ କରଞ୍ଜିଆ-ଖିଚିଂ ୫୩ ନମ୍ବର ରାଜ୍ୟ ରାଜପଥକୁ ୨ ଘଣ୍ଟା ଧରି ଅବରୋଧ କରିଥିଲେ। ଖବରପାଇ କରଞ୍ଜିଆ ଥାନା ପୋଲିସ ଓ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ୨୨ଟି ହାତୀ ଦଳ ହୋଇ ଅନ୍ଧାରଝରି ଗ୍ରାମରେ ପଶି ବିରେନ ଥାପ, ନିରଞ୍ଜନ ଚାତର, ଅର୍ଜୁନ ପୂର୍ତ୍ତି, ରାମ ଚାତର ଓ କୈଳାଶ ଚାତରଙ୍କ ଘର ଭାଙ୍ଗି ଦେଇଛନ୍ତି। ନିରଞ୍ଜନ ଚାତାରଙ୍କ ଘର ଭାଙ୍ଗି ଘରେ ଥିବା ଧାନ ଖାଇ ଦେଇଛନ୍ତି। ହାତୀପଲଙ୍କ ଉତ୍ପାତରେ ଅତିଷ୍ଠ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିବାରୁ ଯାନବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା।