କରଞ୍ଜିଆ ଆଇଟିଡିଏ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ଠାକୁରମୁଣ୍ଡା,୭ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ରେ ସୋମବାର ବାରିପଦା ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଉପଖଣ୍ଡର ବିଭିନ୍ନ ସ୍ଥାନରେ ରବର ଚାଷ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଏହି ଚଢାଉ କରାଯାଇଛି। ଭିଜିଲାନ୍ସ ଡିଏସପି ଶରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଆଇଟିଡିଏ କାର୍ଯ୍ୟାଳୟରେ ପହଞ୍ଚି ରବର ଚାଷ ସମ୍ପର୍କିତ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଆଇଟିଡିଏ ପକ୍ଷରୁ ବିଭିନ୍ନ ସ୍ଥାନରେ ୨୦୧୩ରୁ୨୦୧୮ ପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ୧୨୫ ଏକର ଜମିରେ ରବର ଚାଷ କରାଯାଇଥିବା ଦର୍ଶାଯାଇଥିଲା। ଜିଲାରେ ଏହି ଚାଷ ଆରମ୍ଭ ହୋଇଥିବାରୁ ସେତେବେଳେ ରବର ବୋର୍ଡ ମଧ୍ୟ ଗଠନ କରାଯାଇଥିଲା। ତେବେ କାଗଜପତ୍ରରେ ଚାଷ ହୋଇଥିବା ଦର୍ଶାଯାଇଥିବା ବେଳେ ଲଗାଯାଇଥିବା ସ୍ଥାନରେ ଗଛ ନ ଥିବା ଅଭିଯୋଗ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଭିଜିଲାନ୍ସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିବା ଜଣାପଡ଼ିଛି।

Share