କରଞ୍ଜିଆ ଏନଏସି : ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଠାକୁରମୁଣ୍ଡା,୪ା୧୨(ଡି.ଏନ୍‌.ଏ.)- କରଞ୍ଜିଆ ଏନଏସିରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ କେତେକ ଦାବି ନେଇ ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦୀର୍ଘ ୯ ବର୍ଷ ଧରି ଜିପିଏଫ ଓ ଇପିଏଫ ଅର୍ଥ ଜମା ନେଇ କୌଣସି ସୂଚନା କର୍ମଚାରୀମାନେ ପାଇପାରୁ ନ ଥିବା ଓ ସେମାନଙ୍କ ଜମା ଖାତାରେ ଅର୍ଥ ଜମା ହେଉ ନ ଥିବା କାରଣରୁ ସେମାନେ କାର୍ଯ୍ୟ ବନ୍ଦ କରି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଫେଇ କାର୍ଯ୍ୟ ଏକ ଘରୋଇ ସଂସ୍ଥା ହାତରେ ଥିବାବେଳେ ନ୍ୟାୟ ପାଇବା ପର୍ଯ୍ୟନ୍ତ ସେମାନେ ସଫେଇ ବନ୍ଦ ରଖିବେ ବୋଲି ଜଣାଇଛନ୍ତି। ଯଦି ତାଙ୍କ ବଦଳରେ ଅନ୍ୟ କାହାରିକୁ ସଫେଇ କାମରେ ନିୟୋଜିତ କରାଯାଏ ତେବେ ସେମାନେ ଏହାକୁ ବିରୋଧ କରିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ସହିତ ବର୍ଦ୍ଧିତ ହାରରେ ଦରମା ଦେବାକୁ ଦାବି କରିଛନ୍ତି ।