ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା:  କରନ, ସଲମାନଙ୍କ ସମେତ ୮ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ

ମୁମ୍ବାଇ,୧୭।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି। ତାଙ୍କ ଭଳି ଭର୍ସାଟାଇଲ ଅଭିନେତା ଏଭଳି ପଦକ୍ଷେପ କାହିଁକି ନେଲେ ସେନେଇ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ଏହି ପ୍ରଶ୍ନର ଉତ୍ତର ପାଇଁ ମୁମ୍ବାଇ ପୋଲିସ ସମସ୍ତ ପ୍ରକାରର ଛାନଭିନ୍‌ ଚଳାଇଛି। ଇତିମଧ୍ୟରେ ବିହାର ମୁଜଫରପୁରରେ ବୁଧବାର ଜଣାଶୁଣା ୮ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏହି ୮ଜଣଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁ ଏବଂ ଜଣାଶୁଣା ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ  କରନ ଜୋହର ରହିଛନ୍ତି। ସେହିପରି ଏକତା କପୁର, ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପ୍ରାଙ୍କ ସମେତ ୮ଜଣଙ୍କ ବିରୋଧରେ ଓକିଲ ସୁଧୀର ଓଝା ମାମଲା ରୁଜୁ କରିଛନ୍ତି। ଏମାନଙ୍କ ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ଅଭିଯୋଗରେ ସିଜିଏମ୍‌ କୋର୍ଟରେ ମାମଲା ରୁଜୁ କରାଯାଇଛି। ତେବେ ଏହି ମାମଲାର ଶୁଣାଣି ଜୁଲାଇ ୩ରେ ହେବ ବୋଲି ଜଣାପଡ଼ିଛି। ଅପରପକ୍ଷେ ବଲିଉଡ୍‌ରେ ଉକ୍ତ ସେଲିବ୍ରିଟିଙ୍କ ଷଡଯନ୍ତ୍ର ଯୋଗୁ ସୁଶାନ୍ତଙ୍କ ଫିଲ୍ମ ରିଲିଜ୍‌ ହୋଇ ନ ଥିଲା। ଏହି କାରଣରୁ ଫିଲ୍ମ ସହ ଜଡ଼ିତ ଇଭେଣ୍ଟକୁ ମଧ୍ୟ ସୁଶାନ୍ତଙ୍କୁ ଆମନ୍ତ୍ରଣ କରାଯାଉ ନ ଥିଲା ବୋଲି ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଗତ ରବିବାର ମୁମ୍ବାଇ ସ୍ଥିତ ନିଜ ଘରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା। ଏହାପରେ ସେ ଶୋଷଣର ଶୀକାର ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ବିଭିନ୍ନ ସ୍ତରରେ ଏକାସାଙ୍ଗେ ସ୍ବର ଉଠିଥିଲା ।

Share