କରତକଳରୁ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାଠ, ଯନ୍ତ୍ରାଂଶ ଜବତ

ଭୋଗରାଇ,୨୯।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ୩ ବେଆଇନ କରତକଳ ଉପରେ ଗତ ଶନିବାର ବାଲେଶ୍ୱର ଟାସ୍କଫୋର୍ସ ଓ ପୋଲିସର ଚଢ଼ାଉ କରି ରବିବାର ବନବିଭାଗ ପକ୍ଷରୁ ୧୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାଠ ଓ ବ୍ୟବହୃତ ଯନ୍ତ୍ରାଂଶ ଜବତ କରାଯାଇଛି। ବାଲେଶ୍ୱର ଜଙ୍ଗଲ ଓ ପରିବେଶ ବିଭାଗର ସହକାରୀ ବନସଂରକ୍ଷକ ଲକ୍ଷ୍ମଣ ପ୍ରଧାନ, ସମୀର ସାହୁ, ରେଞ୍ଜର ଦେବେନ୍ଦ୍ରନାଥ ପାତ୍ର, ଫରେଷ୍ଟର ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ବନ କର୍ମଚାରୀ ଓ ସ୍ଥାନୀୟ ପୋଲିସ ବେଲା, ଜଗନ୍ନାଥପୁର, ଚଣ୍ଡୀପୁରରେ ଥିବା କରତକଳରେ ବ୍ୟବହୃତ ଯନ୍ତ୍ରାଂଶ ଓ କାଠଗୁଣ୍ଡିକୁ ଗାଡ଼ି ଯୋଗେ ଉଦୟପୁର ଜଙ୍ଗଲ ବିଭାଗକୁ ନେଇଛନ୍ତି। ୩ କରତକଳକୁ ସିଲ୍‌ କରାଯାଇଛି। କରତକଳର ମାଲିକ ଓ କର୍ମଚାରୀଙ୍କୁ ଖବର ଲେଖା ପର୍ଯ୍ୟନ୍ତ ଭୋଗରାଇ ଥାନାରେ ଅଟକ ରଖାଯାଇଛି। ବାଲେଶ୍ୱର ଜଙ୍ଗଲ ଓ ପରିବେଶ ବିଭାଗରୁ ଆସିଥିବା କଟାଳୀ ମେଶିନ୍‌, ଯନ୍ତ୍ରାଂଶ ଓ କାଠଗଣ୍ଡିକୁ କାଟିବା ନିମନ୍ତେ ଘରୋଇ ସିଲିଣ୍ଡର ବ୍ୟବହାର ନେଇ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିଥିଲେ। ଲୋକେ ଉତ୍ତେଜିତ ହୋଇ ବନବିଭାଗ ସରକାରୀ ଆଇନକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରିଥିଲେ।