‘କରତାଳି ଦିଏ ପ୍ରେରଣା’

ସିମୁଳିଆ, ୧୭ା୩(ସନ୍ତୋଷ କୁମାର ନାୟକ)-ପିଲାଦିନେ ସୁଲଳିତ କଣ୍ଠରେ ଗୀତ ବୋଲି ପାରୁଥିଲେ ପୂଜାରାଣୀ । ସ୍କୁଲରେ ପଢିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଗୀତ ବୋଲି ପ୍ରଶଂସା ପାଇଥିଲେ। ଏହା ତାଙ୍କୁ ପରେ କଳା ଜଗତ ମଧ୍ୟକୁ ଟାଣି ନେଇଥିଲା। ସେ ଏବେ ଓଡ଼ିଶା ଯାତ୍ରା ଜଗତର ଜଣେ ଉଦୀୟମାନ, ପ୍ରତିଭା ସମ୍ପନ୍ନ ନାୟିକା। ପ୍ରଥମେ ସେ ଯାତ୍ରାରେ ନୃତ୍ୟ ପରିବେଷଣ କରି ଅଭିନୟ ଜୀବନ ଆରମ୍ଭ କରିଥିଲେ। ପରେ କମେଡ଼ି, ପାର୍ଶ୍ୱ ନାୟିକ ଓ ପରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଆସୁଛନ୍ତି। ଜଣେ କଳାକାରଙ୍କ ଜୀବନ କଷ୍ଟପ୍ରଦ ହେଲେ ବି ଦର୍ଶକଙ୍କ କରତାଳି ଦେଇଥାଏ ପ୍ରେରଣା। କଳା ମାଧ୍ୟମରେ ସମାଜରେ ଜାଗରଣ ଆଣିବା ସମ୍ଭବ ବୋଲି ସେ କହିଛନ୍ତି।
ପୂଜାଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଣା ଅଞ୍ଚଳରେ ା ମନୋରମା ଓ ଶଙ୍କର୍ଷଣ ପତ୍ରୀଙ୍କ ଦୁଇଝିଅ ଦୁଇପୁଅଙ୍କ ମଧ୍ୟରେ ପୂଜା ସାନ ଝିଅ। ସ୍ଥାନୀୟ ବଣା ପଦ୍ମାବତୀ ବାଳିକା ବିଦ୍ୟାଳୟରେ ପାଠ ପଢି ପରେ ଓଡ଼ିଶା ଯାତ୍ରା ମଞ୍ଚରେ ପାଦ ଥାପିଥିଲେ। ତାଙ୍କର ନିଖୁଣ ଅଭିନୟ ମଞ୍ଚରେ ଦର୍ଶକଙ୍କୁ ବାନ୍ଧି ରଖେ। ସେ ନୀୟତି, ଶିବାନୀ, କଳିଙ୍ଗ ଓ କୋଣାର୍କ ଗଣନାଟ୍ୟରେ ଅଭିନୟ କରିଛନ୍ତି। ୨୦୧୬ରୁ କୋଣାର୍କ ଗଣନାଟ୍ୟରେ ସେ ପାର୍ଶ୍ୱ ନାୟିକ ଓ ପର ମୁଖ୍ୟ ନାୟିକା ଭୂମିକା ତୁଲାଉ ଆସୁଛନ୍ତି। ଅଦ୍ୟାବଧି ୧୮ଖଣ୍ଡ ନାଟକରେ ନାୟିକା ଭୂମିକାରେ ଅଭିନୟ କରିସାରିଲେଣି ା ‘କେନ୍ଦ୍ରାପଡ଼ାର ବାବା’, ‘ବଦ୍‌ନାମ ହେଲି ତୋରି ପାଇଁ’, ‘ଆଖି ଅବୁଝାକୁ ମନ ଅବୁଝା’, ‘ମଣିଷ ଦେଖିଲେ ଡର ଲାଗୁଛି’, ‘ମୀରା ପିନ୍ଧିଦେଲା ରାଧା ସିନ୍ଦୁର’, ‘ବଦ୍‌ମାସ’, ‘ଛୁଇଁଦେଲେ ମେଘ ବରଷିଯାଏ’, ‘କାଇଁଚମାଳି’, ‘ଭାଗ୍ୟ ଖେଳୁଛି ଖେଳ’ ପରି ନାଟକ ତାଙ୍କୁ ସଫଳତା ଆଣି ଦେଇଛି।
ପୂଜା କହନ୍ତି, ଯାତ୍ରା ଜଗତର ଗୁରୁ ଦୈତାରୀ ପଣ୍ଡା, କୈଳାସ ବେହେରା, ଜଗାବାବା ତାଙ୍କୁ ସବୁ ଚରିତ୍ରରେ ଅଭିନୟ କରିବାକୁ ଶିକ୍ଷା ଦେଇଥିଲେ। ଅଦ୍ୟାବଧି ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୧୩ଟି ସମ୍ମାନ ଲାଭ କରିଛନ୍ତି। ତାଙ୍କୁ ମଧ୍ୟ ମିଳିଛି ‘ଚକୋଲେଟ ନାୟିକା’ ସମ୍ମାନ। ଆଗକୁ ଜଣେ ଆଗଧାଡିର କଳାକାର ହେବାକୁ ଲକ୍ଷ୍ୟ ରଖିଛନ୍ତି ା କଳା ପାଇଁ ସେ ନିଜ ପରିବାରରୁ ପ୍ରେରଣା ପାଇଛନ୍ତି। ତାଙ୍କ ଜେଜେ ତ୍ରୈଲୋକ୍ୟ ଥିଲେ ଜଣେ କଳାପ୍ରେମୀ ବ୍ୟକ୍ତି। ସେ ହାରମୋନିୟମ ବଜାଇବା ସହିତ ଗାଁ ଡ୍ରାମାରେ ସୁନ୍ଦର ଅଭିନୟ କରୁଥିଲେ। ତାଙ୍କ ଅଜା ରନତ୍ାକର ଜଣେ ପାଲା ଗାୟକ। ଉଭୟ ଅଜା ଓ ଜେଜେଙ୍କ କଳା ପ୍ରତିଭା ତାଙ୍କୁ କଳା ଜଗତ ପ୍ରତି ଆକୃଷ୍ଟ କରିଛି।

Share