Categories: ଜାତୀୟ

କରବାଚୌଥ ଦିନ ସ୍ତ୍ରୀ ରଖିଥିଲେ ବ୍ରତ, ପୁଅଙ୍କୁ ଫୋନ୍‌ ଆସିଲା ବାପା ଶହୀଦ ହୋଇଗଲେ

କୋଲକାତା,୧୮।୧୦:ବାଂଲାଦେଶୀ ସୀମା ସୁରକ୍ଷା ବାହିନୀର ଗୁଳିମାଡ଼ରେ ଗୁରୁବାର ବିଏସଏଫ ଯବାନ ବିଜୟ ଭାନ ସିଂ ଶହୀଦ ହୋଇଛନ୍ତି। ଗୁରୁବାର ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବିଜୟଙ୍କ ସ୍ତ୍ରୀ କରବାଚୌଥ ବ୍ରତ କରିଥିଲେ। ସନ୍ଧ୍ୟା ହେବା ପୂର୍ବରୁ ବିଜୟଙ୍କ ପୁଅଙ୍କୁ ଏକ ଫୋନ କଲ୍‌ ଆସିଥିଲା କି ତୁମ ବାପା ଶହୀଦ ହୋଇଛନ୍ତି। ବାସ୍‌ ଏତିକି ଶୁଣି ବିଜୟଙ୍କ ସ୍ତ୍ରୀ ପାଦରୁ ମାଟି ଖସିପଡିଥିଲା। ସେ ହତବାକ୍‌ ହୋଇପଡିଥିଲେ। ସୂଚନାଯୋଗ୍ୟ, ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ବିଜିବି ଯବାନମାନେ ଗୁରୁବାର ସକାଳେ ମୁର୍ଶିଦାବାଦ ଜିଲାର କାକ୍ମାରିଚାର ସୀମାନ୍ତ ଘାଟିକୁ ଆସିଥିବାବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ୩ ଭାରତୀୟ ମତ୍ସ୍ୟଜୀବୀଙ୍କୁ ବିଜିବି ଯବାନ ଗିରଫ କରିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବାକୁ ମତ୍ସ୍ୟଜୀବୀମାନଙ୍କୁ ବିଏସଏଫ ଅନୁମତି ଦେଇଥିଲା। ଏହି ସୀମା ପଦ୍ମାନଦୀ ମଧ୍ୟଦେଇ ଯାଇଛି, ଯେଉଁଠୁ ପ୍ରଚୁର ଇଲିଶି ମିଳିଥାଏ। ବିଜିବି ଟିମ ୨ ଜଣ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ଅନୁମତି ଦେଇଥିଲାବେଳେ ତୃତୀୟ ଜଣଙ୍କୁ ଗିରଫ କରିଥିବା ବିଏସଏଫଙ୍କୁ ଜଣାଇଦେଇଥିଲା। ବିଏସଏଫ୍‌ ୬ ଜଣିଆ ଟିମ ଘଟଣାର ସମାଧାନ ପାଇଁ ଏକ ମୋଟରବୋ୍ଟରେ ଯାଇଥିଲେ। ସେମାନେ ଆଲୋଚନା ସାରି ବୋଟକୁ ଫେରୁଥିଲାବେଳେ ପଛପଟୁ ସୟେଦ ନାମକ ବିଜିବିର ଜଣେ ଯବାନ ଗୁଳି ଚଳାଇବାରୁ ବିଏସଏଫ ହେଡ କନଷ୍ଟେବଳ ବିଜୟ ଭାନ ସିଂଙ୍କର ମୃତ୍ୟୁ ହୋଇଥିବାବେଳେ କନଷ୍ଟେବଳ ରାଜବୀର ଯାଦବ ଗୁରୁତର ଆହତ ହୋଇଛନ୍ତି।

Share