Categories: ଖେଳ

କରିନା ଉନ୍ମୋଚନ କଲେ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୨।୧୧- ବଲିଉଡ୍‌ ଅଭିନେତ୍ରୀ କରିନା କାପୁର ଖାଁ ଶୁକ୍ରବାର ମେଲବୋର୍ନଠାରେ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟ୍ରଫି ଉନ୍ମୋଚନ କରିଛନ୍ତି। ଏ ନେଇ ଟି୨୦ ବିଶ୍ୱକପ୍‌ ପକ୍ଷରୁ ଟୁଇଟ୍‌ କରାଯାଇଛି। ମହିଳା ଟି୨୦ ବିଶ୍ୱକପ୍‌ ଆସନ୍ତା ବର୍ଷ ଫେବୃୟାରୀ ୨୧ ତାରିଖରୁ ଆରମ୍ଭ ହେବ। ସ୍କଟଲାଣ୍ଡରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ବାଂଲାଦେଶ ଚାମ୍ପିୟନ ହୋଇଥିଲା। ଫଳରେ ବାଂଲାଦେଶ ଦଳ ଗ୍ରୁପ୍‌ ଏ’ରେ ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ସହ ସ୍ଥାନ ପାଇଛି। ୧୨ ବର୍ଷ ତଳେ ଅନ୍ତିମ ମହିଳା ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଥାଇଲାଣ୍ଡ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରି ଇତିହାସ ସୃଷ୍ଟି କରିଛି। ଏହି ଦଳ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ ଓ ପାକିସ୍ତାନ ଭଳି ଦଳ ସହ ଗ୍ରୁପ୍‌ ବି’ରେ ରହିଛି। ଇଭେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ଫେବୃୟାରୀ ୨୧ ତାରିଖରେ ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ। ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ, ଏହି ଦିନକୁ ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ୨୦୨୦ ବର୍ଷର ପରବର୍ତ୍ତୀ ଭାଗରେ ୧୬ ଦଳକୁ ନେଇ ପୁରୁଷ ଟି୨୦ ବିଶ୍ୱକପ୍‌ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Share