Advertisement

କରିମଙ୍କ ତୃତୀୟ ରିପୋର୍ଟ କରୋନା ପଜିଟିଭ୍‌: ଚିନ୍ତାରେ ପରିବାରଲୋକେ

ମୁମ୍ବାଇ,୧୪।୪: ସାରା ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାରା ଦେଶରେ ମେ’ ୩ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଇତିମଧ୍ୟରେ ଫିଲ୍ମ ପ୍ରଯୋଜକ କରୀମ ମୋରାନୀଙ୍କ ତୃତୀୟ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍‌ ଆସିଥିବା ସୂଚନା ମିଳିଛି। ୬୦ବର୍ଷୀୟ କରିମ ପୂର୍ବରୁ ହୃଦ୍‌ ରୋଗରେ ପୀଡ଼ିତ ଥିବା ବେଳେ ୨ଥର ତାଙ୍କର ହାର୍ଟ ଷ୍ଟ୍ରୋକ୍‌ ମଧ୍ୟ ହୋଇସାରିଛି। ଏଥିସହ ତାଙ୍କର ବାୟପାସ୍‌ ସର୍ଜରୀ ମଧ୍ୟ ହୋଇଛି। ଏହାରି ଭିତରେ ତାଙ୍କର ତୃତୀୟ ରିପୋର୍ଟ କରୋନା ପଜିଟିଭ୍‌ ଆସିବାରୁ ପରିବାର ଲୋକ ଚିନ୍ତିତ ହୋଇପଡ଼ିଛନ୍ତି। ଗତ ସପ୍ତାହରେ କରିମ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ମୁମ୍ବାଇର ନାନାବତି ହସ୍ପିଟାଲର ଆଇସୋଲେଶନ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ, ପ୍ରଥମେ କରିମଙ୍କ ସାନ ଝିଅ ଶଜା କରୋନାରେ ସଂକ୍ରମିତ ହୋଇଥିବା ବେଳେ ପରେ ବଡ଼ ଝିଅ ଜୋଆଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ପରିବାର ସମସ୍ତ ସଦସ୍ୟଙ୍କ ଯାଞ୍ଚ କରାଯାଇଥିବା ବେଳେ କରିମ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ ତାଙ୍କ ୨ ଝିଅ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share