Categories: ବାଣିଜ୍ୟ

କରେନ୍ସି ମନିଟରିଂ ତାଲିକାରୁ ଭାରତୀୟ ମୁଦ୍ରାକୁ ବାଦ୍‌ ଦେଲା ଆମେରିକା

ଓ୍ବାଶିଂଟନ,୩୦ -୫: ଆମେରିକା ଏହାର କରେନ୍ସି ମନିଟରିଂ ତାଲିକାରୁ ଭାରତୀୟ ମୁଦ୍ରାକୁ ବାଦ୍‌ ଦେଇଛି। ତେବେ ଚାଇନାର ମୁଦ୍ରା ଏବେ ମଧ୍ୟ ଏହି ତାଲିକାରେ ରହିଛି। ଏସିଆର ଦେଶଗୁଡ଼ିକ ଦୁର୍ବଳ ହୋଇଥିବା ନିଜର ମୁଦ୍ରାକୁ ଦୃଢ଼ କରିବାକୁ ପଦକ୍ଷେପ ନେବାକୁ ଏହା ପରାମର୍ଶ ଦେଇଛି। ବିଦେଶୀ ବିିନିମୟ ଦର ଉପରେ ସନ୍ଦେହ ଉପୁଜିଲେ ଆମେରିକା ବିଦେଶୀ ମୁଦ୍ରାକୁ ମନିଟରିଂ ତାଲିକାରେ ସାମିଲ କରି ଏହା ଉପରେ ତୀକ୍ଷ୍ନ ନଜର ରଖିଥାଏ। ବାଣିଜ୍ୟ ଅଂଶଗ୍ରହଣକାରୀଙ୍କ ବିଦେଶୀ ମୁଦ୍ରା ବିନିମୟ ନୀତି ଏବଂ ମାକ୍ରୋ ଇକୋନୋମିକ୍ସ ପ୍ରସଙ୍ଗ ଉପରେ ଆମେରିକାର ଅର୍ଥ ମନ୍ତ୍ରଣାଳୟ ପ୍ରମୁଖ କଂଗ୍ରେସକୁ ପଠାଇଥିବା ଅର୍ଦ୍ଧବାର୍ଷିକ ରିପୋର୍ଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତ ଦ୍ୱାରା ନିଆଯାଇଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଦୃଷ୍ଟିରେ ରଖି ଆମେରିକା ଉକ୍ତ ପଦକ୍ଷେପ ନେଇଛି ବୋଲି ରିପୋର୍ଟରେ କୁହାଯାଇଛି। ଏଥିଯୋଗୁ ଭାରତର ମୁଦ୍ରାନୀତିକୁ ନେଇ ଆମେରିକାର ଚିନ୍ତା ଦୂର ହୋଇଛି। ସୂଚନାଥାଉ କି, ଭାରତ ପରେ ସୁଇଜରଲାଣ୍ଡ ଦ୍ୱିତୀୟ ଦେଶ ଯାହାକୁ ଆମେରିକା ଉକ୍ତ ତାଲିକାରୁ ବାଦ୍‌ ଦେଇଛି। ଆମେରିକାର ଉକ୍ତ ତାଲିକାରେ ଏବେ ଚାଇନା, ଜାପାନ, ଦକ୍ଷିଣ କୋରିଆ, ଜର୍ମାନୀ, ଇଟାଲୀ, ଆୟରଲାଣ୍ଡ, ସିଙ୍ଗାପୁର, ମାଲେସିଆ ଏବଂ ଭିଏତ୍‌ନାମ ରହିଛି।

Share