ଇସ୍ତାନବୁଲ,୧୨।୪: ଇରାନ ପରେ ଏବେ ତୁର୍କୀକୁ କରୋନା ସଂକ୍ରମଣର ହଟ୍ସ୍ପଟ ବୋଲି କୁହାଯାଉଛି। ପ୍ରତି ସପ୍ତାହରେ ଏଠାରୁ କରୋନାକୁ ନେଇ ଦୁଃଖଦ ଖବର ଆସୁଥିବା ବେଳେ ଏବେ ଏଠାରୁ ଆସିଛି ଏକ ଖୁସି ଖବର। ତୁର୍କୀର ୯୩ ବର୍ଷର ବୃଦ୍ଧା ଏଲି ଗୁନ୍ଦୁଜ କରୋନା ଯୁଦ୍ଧରେ ବିଜୟ ଲାଗ କରିଥିବା କୁହାଯାଉଛି। ପାଖାପାଖି ୧୦ ଦିନର ଏହି ଯୁଦ୍ଧରେ ଏଲି ବିଜୟ ଲାଭ କରିଥିବା ଜଣାପଡିଛି। ଶନିବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଥିବା ସୂଚନା ମିଳିଛି। ଘରକୁ ଯିବା ସମୟରେ ଏଲି ନର୍ସମାନଙ୍କ ମୁଣ୍ଡରେ ହାତମାରି କହିଛନ୍ତି ଦେଖିବ ଦିନେ ସବୁଠିକ୍ ହୋଇଯିବ। ଏଲିଙ୍କର ଏହି ଆଶୀର୍ବାଦ ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି କୁହାଯାଉଛି। ଅଲ ଜଜିରାରେ ପ୍ରକାଶିତ ଏକ ଖବରରୁ ଜଣାପଡିଛି, ସମସ୍ତେ କହୁଥିଲେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି କରୋନା ଯୁଦ୍ଧରେ ହାରିବେ ବୋଲି ହେଲେ ଏଲିଙ୍କ ସୁସ୍ଥତା ଏବେ ତୁର୍କୀରେ ନୂଆ ଆଲୋକର ସମ୍ଭାବନା ସୃଷ୍ଟି କରିଛି ବୋଲି କୁହାଯାଉଛି।