କରୋନାକୁ ଡରି ଭୋକରେ ମରିବାକୁ ଚାହୁଁ ନାହାଁନ୍ତି ଇଟାଲିର ଜନସାଧାରଣ: ମରିବୁ ପଛେ ବାହାରକୁ ଯାଇ କରିବୁ କାମ !

ମିଲାନ,୧୬।୪: କରୋନା ସଂକ୍ରମଣ ଯୋଗୁ ଇଟାଲିର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ ଏହାଦ୍ୱାରା ଅଣ-ସଂଗଠିତ କ୍ଷେତ୍ର ଏବଂ ନିଜେ ଛୋଟମୋଟ ବ୍ୟବସାୟ କରୁଥିବା ବହୁ ଲୋକଙ୍କ ପାଖରେ ଦୈନଦିନ ଆବଶ୍ୟକତା ମେଣ୍ଟାଇବା ପାଇଁ ଆଉ ସଞ୍ଚିତ ଅର୍ଥ ନାହିଁ। ତେଣୁ ଲୋକେ କରୋନାକୁ ଡରି ଭୋକରେ ମରିବାକୁ ଚାହୁଁ ନ ଥିବା କହୁଛନ୍ତି। ବହୁ ଛୋଟମୋଟ ବ୍ୟବସାୟୀ ମରିବୁ ପଛେ ବାହାରକୁ ଯାଇ କରିବୁ କାମ କରିବା ଅଣ୍ଟା ଭିଡ଼ିଛନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ସେକ୍ଟର ପାଇଁ ୩୪ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା କରାଯାଇଛି। ତେବେ ଏହା ସମୁଦ୍ରକୁ ଶଙ୍ଖେ ଭଳି ମନେ ହେଉଛି। ଦେଶର ଲକ୍ଷେ ୫୦ ହଜାର ଶିଳ୍ପପତିଙ୍କୁ ଗଠିତ ହୋଇଥିବା ଉଦ୍ୟୋଗିକ ସଂଗଠନ ପକ୍ଷରୁ ଲକ୍‌ ଡାଉନ୍‌ ହଟାଇବା ଲାଗି ସରକାରଙ୍କ ଉପରେ ଚାପ ମଧ୍ୟ ପକାଯାଉଛି। ଏସବୁ ଶିଳ୍ପ ସଂସ୍ଥାରେ ୫୫ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଲକ୍‌ ଡାଉନ ଯୋଗୁ ବିଭିନ୍ନ ଶିଳ୍ପସଂସ୍ଥା ବନ୍ଦ ରହିଛି। ତେଣୁ କର୍ମଚାରୀଙ୍କୁ ଦରମା ମଧ୍ୟ ଦିଆଯାଇପାରୁ ନ ଥିବା ସଂଗଠନ ପକ୍ଷରୁ କୁହାଯାଇଛି। ଲକ୍‌ ଡାଉନ୍‌ ନ ହଟିଲେ କରୋନା ତୁଳନାରେ ଆର୍ଥିକ ମାନ୍ଧାବସ୍ଥା ଅଧିକ ଘାତକ ହେବ ବୋଲି ସଂଗଠନ କହିଛି।

Share