କରୋନାକୁ ଡରି ହୋଲି ଖେଳିବେନି ରାକ୍ଷୀ, ପ୍ରଶଂସକଙ୍କୁ କହିଲେ ସତର୍କ ରୁହନ୍ତୁ

ବମ୍ବେ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଗୋଟିଏ ପରେ ଗୋଟିଏ ଦେଶରେ ଏହା ପ୍ରଭାବ ବିସ୍ତାର କରୁଛି। ବଲିଉଡ୍‌ କଳାକାର ମଧ୍ୟ ଏହାକୁ ନେଇ ସତର୍କ ହୋଇଗଲେଣି। ଅନେକେ ନିଜର ବିଦେଶ ଗସ୍ତ ବାତିଲ କରୁଥିବା ଦେଖାଯାଇଛି। ଏସବୁ ଭିତରେ ବିବାଦୀୟ ଅଭିନେତ୍ରୀ ବୋଲାଉଥିବା ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡିଓ ଚର୍ଚ୍ଚାରେ। ଭିଡିଓରେ ପ୍ରଶଂସକଙ୍କୁ ହୋଲି ନ ଖେଳିବାକୁ ଅନୁରୋଧ କରିଛନ୍ତି ସେ।

ଇନ୍‌ଷ୍ଟା ପୃଷ୍ଠାରେ ଅପ୍‌ଲୋଡ୍‌ ହୋଇଛି ଭିଡିଓ। ଏଥିରେ ରାକ୍ଷୀ କହିଛନ୍ତି, କରୋନା ସଂକ୍ରମଣ ବହୁତ ଭୟଙ୍କର। ଏହାକୁ ନେଇ ସମସ୍ତଙ୍କୁ ସଚେତନ ହେବାକୁ ପଡ଼ିବ। ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ହୋଲିରେ ଅବସରରେ ବିଭିନ୍ନ ରଙ୍ଗ, ବଲ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଚାଇନାରୁ ଆସୁଛି। ଚାଇନାରେ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ସମୟରେ ସେଗୁଡ଼ିକ ପ୍ରସ୍ତୁତ ହୋଇଥାଇପାରେ। ଏଣୁ ଚଳିତ ବର୍ଷ ହୋଲି ଖେଳନ୍ତୁ ନାହିଁ। ଦୁଇ ତିନି ଘଣ୍ଟାର ମନୋରଞ୍ଜନ ପାଇଁ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆମେ ରହୁଥିବା ଅଞ୍ଚଳକୁ ସ୍ବଚ୍ଛ, ପରିଷ୍କାର ରଖିବାକୁ ପଡ଼ିବ। ବାହାର ଦେଶରୁ ଆସୁଥିବା ଜିନିଷ ପ୍ରତି ସତର୍କ ରୁହନ୍ତୁ। ଏପରି କି ସେ ନିଜେ ମଧ୍ୟ ହୋଲି ଖେଳିବେ ନାହିଁ ବୋଲି କହିଛନ୍ତି।

Share