କରୋନାକୁ ଦୂରେଇବା ଲାଗି ଛତାକୁ ଅସ୍ତ୍ର କରିଛନ୍ତି ଗ୍ରାମବାସୀ

କୋଚି,୨୮।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଛି। ଆମ ଦେଶରେ ମଧ୍ୟ ଗୋଟିଏ ଦିନରେ ୬ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟି ଯାଇଛି। ତେବେ କେରଳର ଉପକୂଳ ଜିଲା ଅଲପୁଝାର ତନିରମୁକମ ଗାଁରେ ଲୋକେ ଏବେ କରୋନାକୁ ଦୂରେଇବାକୁ ଛତାକୁ ଅସ୍ତ୍ର କରିଥିବା ଜଣାପଡିଛି। ଖରା ହେଉ ଅବା ବର୍ଷା ଛତା ଧରିଲେ ଅତିକମ୍‌ରେ ସାମାଜିକ ଦୂରତା ବଜାୟ ରହିବା ସହ କରୋନା ବିରୋଧରେ ଲଢେଇ କରିହେବ ବୋଲି ଏମାନେ ମତ ଦିଅନ୍ତି। ତନିରମୁକମ ପଞ୍ଚାୟତର ଅଧ୍ୟକ୍ଷା ପିଏସ୍‌ ଜ୍ୟୋତି କହିଛନ୍ତି, ପାଗ ଯାହା ବି ହେଉନା କାହିଁକି ଛତା ବ୍ୟବହାର ଜରୁରୀ। ଏହାକୁ ନେଇ ପ୍ରାୟ ଏକମାସ ହେବ ପ୍ରଶାସନ ତରଫରୁ ୬ହଜାର ଛତା ବଣ୍ଟା ସରିଲାଣି। ଏମିତି ଏକ ବୁଦ୍ଧି ଦେଇଥିବା ଅଲପୁଝାର ବିଧାୟକ ତଥା ରାଜ୍ୟର ଅର୍ଥମନ୍ତ୍ରୀ ଡା. ଟିଏମ୍‌ ଥମାସ ଇସାକ କହିଛନ୍ତି, ଛତା ଖୋଲିଲେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଅତିକମ୍‌ରେ ୧ ମିଟର ଦୂରତା ରହିବା ନିଶ୍ଚିତ। ତେଣୁ କରୋନାକୁ ସହଜରେ ମୁକାବିଲା କରିହେବ।

Share