କରୋନାକୁ ନକ୍‌ ଡାଉନ୍‌ ପାଇଁ ଲକ୍‌ ଡାଉନ୍‌: ବାଗ୍‌ଚୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ): କରୋନା ସହ ଦୀର୍ଘ ୬ ମାସର ଯୁଦ୍ଧ। ଆହୁରି ୧୭୨ ଦିନ ବାକି। କରୋନା ଭାଇରସ୍‌କୁ ନକ୍‌ ଡାଉନ୍‌ ପାଇଁ ଲକ୍‌ ଡାଉନ୍‌ କରିବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୪୦% ଜନସଂଖ୍ୟା ପ୍ରଭାବିତ ହେବେ। ହେଲେ ସରକାରଙ୍କୁ ସହଯୋଗ କଲେ ସାରା ଓଡ଼ିଶାବାସୀ ବଞ୍ଚିବେ। ନିକଟରେ ବିଦେଶରୁ ଆସିଥିବା ୩ହଜାର ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ

୫ଟି ଜିଲା ଏବଂ ୮ ସହରାଞ୍ଚଳରେ ରହିଛନ୍ତି। ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଅନୁଗୋଳ ଆଦି ଜିଲା ସହ ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଯାଜପୁର ରୋଡ୍‌, ଯାଜପୁର ଟାଉନ୍‌, ରାଉଲକେଲା, ପୁରୀ, ଝାରସୁଗୁଡ଼ା ସହରାଞ୍ଚଳର ଅଧିକାଂଶ ଲୋକେ ବିଦେଶଫେରନ୍ତା। ଏଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୨ ସକାଳ ୭ଟାରୁ ୨୯ ରାତି ୯ଟା ଯାଏ ଜିଲାଗୁଡ଼ିକ ଲକ୍‌ଡାଉନ୍‌ ରହିବ। ଏହି ଜିଲାର ଜନସାଧାରଣଙ୍କୁ ଘରେ ରହିବାକୁ କୁହାଯାଉଛି। ଅତ୍ୟନ୍ତ ଜରୁରୀ ଅବସ୍ଥା ନ ଥିଲେ କେହି ବି ବାହାରକୁ ବାହାରିବେ ନାହିଁ। ଏହାକୁ ଲକ୍‌ ଡାଉନ୍‌ ଅଥବା ତାଲା ବନ୍ଦ ପରିସ୍ଥିତି ବୋଲି କହିପାରିବେ। ହେଲେ ଆତଙ୍କିତ ହେବାର କାରଣ ନାହିଁ। ଏହି ସମୟରେ ସମସ୍ତ ଜରୁରିକାଳୀନ ବ୍ୟବସ୍ଥା ଜାରି ରହିବ। ଯେଉଁ ବ୍ୟକ୍ତି ନିଜକୁ ତଥା ଅନ୍ୟକୁ ବିପଦକୁ ଠେଲିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅଦ୍ଭୁତପୂର୍ବ ପଦକ୍ଷେପ ସୁଚିନ୍ତିତ ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

Share