‘କରୋନା’କୁ ନେଇ ଗୁଜବ: ଶନି ମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କ ଭିଡ

କେନ୍ଦୁଝର, ୧୫ା୩ (ସ୍ବ.ପ୍ର.)-ବିଶ୍ୱବ୍ୟାପୀ ଆତଙ୍କ ଖେଳାଇଥିବା ‘କରୋନା’ ଭାଇରସକୁ ନେଇ ବିଭିନ୍ନ ସ୍ଥାନରେ କିଭଳି ଗୁଜବ ପ୍ରଚାରିତ ହେଉଛି ତାହାର ଏକ ନଜିର କେନ୍ଦୁଝର ଜିଲା ସଦରମହକୁମାସ୍ଥିତ ପୁରୁଣା ସହରରେ ଦେଖିବାକୁ ମିଳିଛି। ସେଠାରେ ଥିବା ସିଦ୍ଧ ମଠସ୍ଥିତ ଶନି ମନ୍ଦିରରେ ଶନିବାର ହଠାତ୍‌ ବହୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ଯାହାଙ୍କର ଗୋଟିଏ ପୁତ୍ର ସନ୍ତାନ ଥିବ, ସେହି ପୁତ୍ର କରୋନାରେ ଆକ୍ରାନ୍ତ ହେବେ ବୋଲି ଉକ୍ତ ଅଞ୍ଚଳରେ ଗୁଜବ ପ୍ରଚାରିତ ହୋଇଥିଲା। ଏଭଳି ଗୁଜବ ଶୁଣି ମହିଳାମାନେ ଶନି ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥିଲେ। କେତେକ ଶ୍ରଦ୍ଧାଳୁଙ୍କୁ ପଚାରିବାରୁ ସେମାନେ କହିଥିଲେ, ଗୋଟିଏ ପୁତ୍ର ସନ୍ତାନ ଥିବା ମହିଳା ଯଦି ଶନି ଠାକୁରଙ୍କୁ ସାତ ପାଳି ପୂଜା ନ କରନ୍ତି ତାଙ୍କ ପୁତ୍ରର ଅନିଷ୍ଟ ହେବ ଶୁଣି ପୂଜାର୍ଚ୍ଚନା କରିବାକୁ ଆସିଛନ୍ତି। ମନ୍ଦିରରେ ହଠାତ୍‌ ଭକ୍ତଙ୍କ ଭିଡ଼ ବଢ଼ିବା କାରଣରୁ ସେଠାରେ ନଡିଆ ଓ ଅନ୍ୟ ଭୋଗର ଦାମ ବୃଦ୍ଧି ପାଇଥିଲା। ଏଭଳି ଗୁଜବ ପ୍ରଚାର ଓ ପୂଜାର୍ଚ୍ଚନା ସମ୍ପର୍କରେ ଉପଜିଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ବିଭାଗ ରାମଚନ୍ଦ୍ର କିସ୍କୁଙ୍କୁ ପଚାରିବାରୁ ସେ ଏ ବିଷୟରେ ଜାଣି ନାହାନ୍ତି ଏବଂ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।