କରୋନାକୁ ନେଇ ଗୁଜବ: ୭ ତୁଳସୀପତ୍ର ଖାଇବାକୁ ପ୍ରଚାର

ପୁରୀ ଅଫିସ,୬।୩: କରୋନାକୁ ନେଇ ଆରମ୍ଭ ହୋଇଯାଇଛି ବିଭିନ୍ନ ପ୍ରକାର ଗୁଜବ। ଏହି ପ୍ରାଣଘାତୀ ଭାଇରସ୍‌ କବଳରୁ କିପରି ରକ୍ଷା ପାଇହେବ ସେଥିଲାଗି ସୋସିଆଲ ମିଡିଆରେ ନାନା ପ୍ରକାର ପୋଷ୍ଟ କରାଯାଉଛି। ତେବେ ଗୁରୁବାର ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଏକ ଗୁଜବ ପ୍ରଚାରିତ ହୋଇଛି। ଶ୍ରୀମନ୍ଦିର ବଡପଣ୍ଡାଙ୍କୁ ଜଗନ୍ନାଥ ମହାପ୍ରଭୁ ସ୍ବପ୍ନାଦେଶ ଦେଇଛନ୍ତି। ଗୁରୁବାର ରାତି ୯ଟା ମଧ୍ୟରେ ୭ଟି ତୁଳସୀପତ୍ର ଖାଇଦେଲେ କରୋନା ଦ୍ୱାରା ସଂକ୍ରମିତ ହେବାର ଭୟ ରହିବ ନାହିଁ ବୋଲି ଏହି ଗୁଜବ ଏବେ ଜଣଙ୍କ ପାଖରୁ ଅନ୍ୟଜଣଙ୍କ ପାଖକୁ ଯାଉଛି। ଏପରି କି ମୋବାଇଲ ମାଧ୍ୟମରେ ଜିଲାକୁ ଜିଲା ଡେଉଁଛି। ଏହାକୁ ନେଇ ଏକ ଟିକ୍‌ଟକ୍‌ ମଧ୍ୟ କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଜଗତ୍‌ସିଂହପୁର, କଟକ, ପୁରୀ ପ୍ରଭୃତି ଉପକୂଳବର୍ତ୍ତୀ ଜିଲାରେ ଏଭଳି ଗୁଜବକୁ ବି ଅନେକ ବିଶ୍ୱାସ କରି ରାତିରେ ତୁଳସୀପତ୍ର ଖାଇଥିବା ଜଣାପଡ଼ିଛି।
ତେବେ ଶ୍ରୀମନ୍ଦିର ବଡପଣ୍ଡାଙ୍କୁ ଶ୍ରୀଜଗନ୍ନାଥ ସ୍ବପ୍ନାଦେଶ କରିବା ଯାହା କୁହାଯାଉଛି ତାହା ସମ୍ପୂର୍ଣ୍ଣ ଗୁଜବ। ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ। ଗୁଜବ ସବୁବେଳେ ଗୁଜବରେ ହିଁ ଶେଷ ହୋଇଥାଏ। କରୋନା ଭାଇରସ୍‌ ପ୍ରତି ସମସ୍ତେ ସତର୍କ ରହିବା ଉଚିତ। ଡାକ୍ତରଙ୍କ ପରାମର୍ଶକୁ ସମସ୍ତେ ମାନି ଚଳନ୍ତୁ। ସରକାରଙ୍କ ପକ୍ଷରୁ ଯେଉଁ ଆଡଭାଇଜରି ଜାରି କରାଯାଇଛି ତାହାକୁ ଅନୁସରଣ କରିବା ଉଚିତ ବୋଲି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି।

 

Share