କରୋନାକୁ ନେଇ ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ବାହାରକୁ ଖେଳିବାକୁ ଯାଅ ନାହିଁ, ପରିବାରଲୋକଙ୍କୁ କଟକଣା ମାନିବାକୁ କୁହ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶାରେ ୬୮ହଜାର ୭୧୭ଟି ସ୍କୁଲ ରହିଛି। ସେଥିରେ ୩୬ ଲକ୍ଷ ୫ ହଜାର ୫୩୯ଜଣ ଛାତ୍ରୀଛାତ୍ର ପ୍ରାଥମିକ ବିଦ୍ୟାଳୟ ଏବଂ ୨୧ଲକ୍ଷ ୨୭ହଜାର ୪୩ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ବିଶେଷକରି ୯ମ ଏବଂ ଦଶମରେ ୧ଲକ୍ଷ ୨୯ ହଜାର ୩୦୭ ଜଣ , ଯୁକ୍ତ ୨ରେ ୧୦ଲକ୍ଷ ୭୬ହଜାର ୭୪୨ଜଣ ପାଠ ପଢ଼ୁଛନ୍ତି। ମୋଟ ୮୧ଲକ୍ଷ ୨ହଜାର ୩୩୧ଜଣ ପିଲା ସ୍କୁଲକୁ ଯାଉଛନ୍ତି। କରେନା ମୁକାବିଲା ସମୟରେ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାର୍ତ୍ତା ଦେଇଛନ୍ତି। ଆଜିର ସମୟ ଆହ୍ବାନର ସମୟ। କରୋନାକୁ ନ ଡ଼ରି ମିଳିମିଶି ଲଢ଼ିବା। ସାଙ୍ଗସାଥୀଙ୍କ ସହ ଏବେ ଆମେ ଖେଳାଖେଳି କରିବା ନାହିଁ। ସମସ୍ତେ ସାବଧାନ ରହିବା। ଯେକୌଣସି ଖେଳରେ ସାଙ୍ଗମାନଙ୍କ ପାଖକୁ ଯିବାର ଭୟ ଥାଏ। କରୋନା ଭୂତାଣୁ କାଶ, ଛେପ ଆଦିରୁ ବ୍ୟାପିଥାଏ। ଏଣୁ ପିଲାମାନଙ୍କୁ କରୋନା ଯିବା ପର୍ଯ୍ୟନ୍ତ ଦୂରରେ ରହିବା ଆବଶ୍ୟକ। ବାପାମା’ ତଥା ଗୁରୁଜନମାନେ ତୁମମାନଙ୍କ କଥା ନିଶ୍ଚୟ ଶୁଣିବେ। ସେମାନଙ୍କୁ ତୁମେ ହାତ ଧୋଇବାକୁ କହିବା। ମୁହଁରେ ବାରମ୍ବାର ହାତ ନ ଲଗାଇବାକୁ ଏବଂ ଘରେ ରହିବାକୁ କହିବା ଆବଶ୍ୟକତା ରହିଛି। ଏପରିକି ବାହାରକୁ ଯିବାକୁ ହେଲେ ମାସ୍କ ପିନ୍ଧିବାକୁ କହିବା ଆରମ୍ଭ କର। ଏହାଛଡ଼ା ଏହି ଦିନଗୁଡ଼ିକ ବହୁତ ମୂଲ୍ୟବାନ। ଏହି ଲକ୍‌ଡାଉନ୍‌ ସମୟରେ ବର୍ଷର ସ୍କୁଲ ବହିତକ ଆଉଥରେ ଥରେ ପଢ଼ିଦିଅ। ମନକୁ ଖୁସି ରଖ। ଗପ ବହି ପଢ଼, ଚିତ୍ର ଆଙ୍କ। ଘରକାମରେ ମା’ବାପାଙ୍କୁ ସାହାଯ୍ୟ କର। ଭାଇ ଭଉଣୀଙ୍କ ସହ କଳି ଝଗଡ଼ା କର ନାହିଁ। ସବୁ ସପ୍ତାହରେ ନୂଆ କଥାଟିଏ ଶିଖ। ଲକ୍‌ଡାଉନ୍‌ ଦାଉ କେତେ ସପ୍ତାହ ଚାଲିବ ତାହା ଜଣାନାହିଁ। ହେଲେ କରୋନା ହାତରୁ ତୁମ ସପ୍ତାହ ଛଡ଼ାଇ ଆଣ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ନେଇ ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ କହିଛନ୍ତି।

Share