କରୋନାକୁ ନେଇ ଭୟଭୀତ ହେବାର କାରଣ ନାହିଁ, ଘରେ ରଖି ଚିକିତ୍ସା କରିବା ହୋଇପାରେ ସମସ୍ୟାବହୁଳ: ସୁରେଶ ମହାପାତ୍ର

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ଙ୍କର ବିଭିନ୍ନ କୋଭିଡ-୧୯ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସଂକ୍ରମଣର ଆଶଙ୍କା ଥିବାରୁ ସେମାନଙ୍କୁ ପରିବାରଲୋକେ ଦେଖା କରିପାରିବେ ନାହିଁ। ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଏଯାବତ ସୁସ୍ଥ ହୋଇ ଫେରୁଥିବା ସମସ୍ତେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି । ତେବେ ଏଥିରେ ଲୋକମାନେ ସୁସ୍ଥ ହେଉଥିବାରୁ ଭୟଭୀତ ହେବାର କୌଣସି କାରଣ ନାହିଁ। ବୟସ୍କଙ୍କ କ୍ଷେତ୍ରରେ ହେବାକୁ ଥିବା ଅସବୁଧା ଲାଗି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗଣମାଧ୍ୟମ ପକ୍ଷରୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖି ଉନ୍ନୟନ କମିଶନର ତଥା ଅତିରକ୍ତ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି। ସେହିଭଳି ଘରେ ରଖିି କରୋନା ପଜିଟିଭ୍‌ଙ୍କ ଚିକିତ୍ସା କରାଯାଇପାରିବ କି ନା ପ୍ରଶ୍ନରେ ସେ କହିଛନ୍ତି, ଯେଉଁ ଦେଶରେ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ବାହାରୁଛନ୍ତି, ସେଠାରେ ଏଭଳି କରାଯାଉଛି। ଓଡ଼ିଶାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏଣୁ ରୋଗୀଙ୍କୁ ଘରେ ରଖି ଚିକିତ୍ସା କରିବା ସମସ୍ୟାବହୁଳ ହୋଇପାରେ। ଏହାଦ୍ୱାରା ପରିବାରର ଅନ୍ୟ ସଦସ୍ୟ ସଂକ୍ରମିତ ହେବାର ସମ୍ଭାବନା ରହିଥାଏ। ଏଣୁ ପଜିଟିଭ ବ୍ୟକ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଡାକ୍ତରଖାନାରେ ରହି ଚିକିତ୍ସା କରାଇବା ଉଚିତ ବୋଲି ସେ ମଧ୍ୟ କହିଛନ୍ତି।

Share